୧୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

୧୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
Samaya Live Desk Picture
Published On
ନୂଆଦିଲ୍ଲୀ: ବିଭିନ୍ନ ହାଇକୋର୍ଟରେ ୧୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ ଏହା ଘୋଷଣା କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଦୁଇଜଣ ବିଚାରପତି ଏବଂ ପାଞ୍ଚ ଜଣ ଅତିରିକ୍ତ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଝାଡ଼ଖଣ୍ଡ ହାଇକୋର୍ଟରେ ତିନି ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। କର୍ଣ୍ଣାଟକ ହାଇକୋର୍ଟ ପାଇଁ ୩ ଜଣ ଅତିରିକ୍ତ ବିଚାରପତିଙ୍କୁ ନିଯୁକ୍ତ କରିଥିବା ବେଳେ ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟ ପାଇଁ ଜଣେ ଲେଖାଏଁ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟରେ ମୋଟ ସାତ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ନିବେଦିତା ଅନିଲ ଶର୍ମା ଏବଂ ନିଶା ସହାୟ ସକ୍ସେନାଙ୍କୁ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସଞ୍ଜୟ ଶର୍ମା, ଭାରତ ପରାଶର, ଅଦିତି ଚୌଧୁରୀ, ଦିନେଶ ଭଟ୍ଟ ଏବଂ ଅରୁଣ ଭରଦ୍ୱାଜଙ୍କୁ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ଅରୁଣ ଭରଦ୍ୱାଜ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଅଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟରେ ତିନି ଜଣ ନୂତନ ବିଚାରପତି ଭାବେ ମନୋଜ ପ୍ରସାଦ, ଅଖିଳ କୁମାର ଏବଂ ରାମ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି । ଯଶ ପଲ ବର୍ନିଙ୍କୁ ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ତିନି ଜଣ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଅନୁମୋଦନ କରାଯାଇଛି। ପଦୋନ୍ନତି ପାଇଥିବା ତିନି ଜଣ ନ୍ୟାୟିକ ଅଧିକାରୀ ହେଉଛନ୍ତି ଉଷା ରାଣୀ, କେ.ଏସ୍. ଭାରତ କୁମାର ଏବଂ ନେରାଲେ ବୀରଭଦ୍ରୈୟା ଭବାନୀ।
Tags: