୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ: ଦେଶର ତୈଳ କମ୍ପାନିଗୁଡ଼ିକ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି। ସାରା ଭାରତରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ବଢ଼ିଛି। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ଆନ୍ତର୍ଜାତୀୟ ଅଶୋଧିତ ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିଛି। ଫଳରେ ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି। ପୂର୍ବରୁ, ମେ’ ୧୬ ତାରିଖରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ-ଡିଜେଲ ଦରରେ ପ୍ରାୟ ୩ ଟଙ୍କା ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ। ପରେ ମେ’ ୧୯ ତାରିଖରେ ୯୦ ପଇସା ବୃଦ୍ଧି କରାଯାଇଥିଲା। ସାମଗ୍ରିକ ଭାବରେ, ଗତ ୧୦ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ପେଟ୍ରୋଲ-ଡିଜେଲ ଦରରେ ପ୍ରତି ଲିଟର ପିଛା ଅତିରିକ୍ତ ୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏହି ବୃଦ୍ଧି ପରେ, ଦେଶର ମହାନଗରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନୂତନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରତି ଲିଟର ପିଛା ପେଟ୍ରୋଲ ମୂଲ୍ୟ ୯୮.୬୪ ଟଙ୍କାରୁ ୯୯.୫୧ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ମୂଲ୍ୟ ପ୍ରତି ଲିଟର ପିଛା ୯୧.୫୮ ଟଙ୍କାରୁ ୯୨.୪୯ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ବର୍ତ୍ତମାନ ପ୍ରତି ଲିଟର ପିଛା ୧୧୦.୫୭ ଟଙ୍କ ଏବଂ ଡିଜେଲ ୯୬.୦୪ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୫୬ ଟଙ୍କା ଏବଂ ଡିଜେଲ ଦର ୯୪.୦୫ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୪.୫୪ ଟଙ୍କା ଏବଂ ଡିଜେଲ ଦର ୯୬.୧୬ ଟଙ୍କା ପହଞ୍ଚିଛି।
Tags:



