ହର୍ମୁଜ୍ରେ ଜାହାଜ ଉପରେ ଆକ୍ରମଣକୁ ଜାତିସଂଘରେ ଭାରତର ନିନ୍ଦା
ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ନିନ୍ଦା କରିଛି ଏବଂ ମୁକ୍ତ ନୌଚାଳନା ପୁନଃଆରମ୍ଭ କରିବାକୁ ଆହ୍ୱାନ ଦେଇଛି। ହର୍ମୁଜ୍ ପ୍ରଣାଳୀ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ସ୍ତରରେ ଶକ୍ତି ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତର ଉପ-ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ। ଏପରି ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ। ପଟେଲ କୌଣସି ଦେଶର ନାମ ନେଇ ନଥିଲେ, କିନ୍ତୁ ଇରାନକୁ ଇଙ୍ଗିତ କରି ମନେ ପକାଇଥିଲେ ଯେ, ଭାରତ ବାହାରିନ ଦ୍ୱାରା ଆଗତ ଏକ ପରିଷଦ ପ୍ରସ୍ତାବର ସହ-ପ୍ରସ୍ତାବକ ଥିଲା। ଯେଉଁଥିରେ ମଧ୍ୟପ୍ରାଚ୍ୟ ପଡ଼ୋଶୀମାନଙ୍କ ଉପରେ ତେହେରାନର ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଥିଲା।
ଇରାନ ଭାରତୀୟ ଜାହାଜ ଉପରେ ମଧ୍ୟ ଆକ୍ରମଣ କରିଛି । ଅନ୍ୟ ଦେଶର ଜାହାଜ ଉପରେ ଆକ୍ରମଣରେ ଅତି କମରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଆମେରିକା ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଜାରି କରିଛି। ପରିଷଦ ସଭାପତି ବାହାରିନଙ୍କ ଦ୍ୱାରା ଆଗତ ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଏକ ବୈଠକରେ ପଟେଲ କହିଛନ୍ତି, ଆମେ ଜୋର ଦେଉଛୁ ଯେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ଏବଂ ନିର୍ଦ୍ଦୋଷ ନାଗରିକ କ୍ରୁ ସଦସ୍ୟଙ୍କୁ ବିପଦରେ ପକାଇବା, କିମ୍ବା ହର୍ମୁଜ୍ ପ୍ରଣାଳୀରେ ପରିବହନ ଏବଂ ବାଣିଜ୍ୟର ସ୍ୱାଧୀନତାକୁ ବାଧା ଦେବା ଗ୍ରହଣୀୟ ନୁହେଁ। ଏହି ପ୍ରଣାଳୀ ଦେଇ ଅବାଧ ପରିବହନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ମାର୍ଗ। ଭାରତର ବାଣିଜ୍ୟ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳ ଏହାସହ ଭୌଗୋଳିକ ଭାବରେ ପରସ୍ପର ସହିତ ଜଡିତ, ଯାହା ସିଧାସଳଖ ଦେଶର ଅର୍ଥନୀତି ଏବଂ ଶକ୍ତି ସୁରକ୍ଷାକୁ ପ୍ରଭାବିତ କରୁଛି।
Tags:



