ସର୍ତ୍ତ ପୂରଣ ନହେଲେ ୨ ଦିନ ମଧ୍ୟରେ ବନ୍ଧକ ପାକିସ୍ତାନୀ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେବ ବିଏଲ୍‌ଏ

ସର୍ତ୍ତ ପୂରଣ ନହେଲେ ୨ ଦିନ ମଧ୍ୟରେ ବନ୍ଧକ ପାକିସ୍ତାନୀ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେବ ବିଏଲ୍‌ଏ
Samaya Live Desk Picture
Published On

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ସକ୍ରିୟ ଥିବା ବିଛିନ୍ନତାବାଦୀ ସନ୍ତ୍ରାସବାଦୀ ସଂଗଠନ ‘ବଲୁଚ୍ ଲିବରେସନ ଆର୍ମି'' (ବିଏଲ୍ଏ) ଏକ ଚାଞ୍ଚଲ୍ୟକର ଭିଡିଓ ଜାରି କରି ପାକିସ୍ତାନ ସରକାର ଓ ସେନାକୁ ଚେତାବନୀ ଦେଇଛି। ଏହି ଭିଡିଓରେ ବିଏଲଏ ଦାବି କରିଛି ଯେ ସେମାନେ ପାକିସ୍ତାନୀ ସେନାର ୭ ଜଣ ଯବାନଙ୍କୁ ବନ୍ଧକ ରଖିଛନ୍ତି। ପାକିସ୍ତାନୀ ସେନା ପକ୍ଷରୁ ନିଜର କୌଣସି ସୈନ୍ୟ ନିଖୋଜ ନାହାନ୍ତି ବୋଲି ବାରମ୍ବାର କୁହାଯାଉଥିବା ବେଳେ, ବିଏଲଏ ଏହି ଭିଡିଓ ଜାରି କରି ସେନାର ଦାବିକୁ ମିଥ୍ୟା ପ୍ରମାଣିତ କରିଛି। ଜାରି କରାଯାଇଥିବା ଭିଡିଓରେ ସୈନ୍ୟମାନେ ଆଣ୍ଠେଇ ବସିଥିବା ବେଳେ ସେମାନଙ୍କ ପଛରେ ସଶସ୍ତ୍ର ବିଏଲଏ ସଦସ୍ୟମାନେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବନ୍ଧକ ସୈନ୍ୟଙ୍କ ବଦଳରେ ସେମାନଙ୍କର ଗିରଫ ସଦସ୍ୟଙ୍କୁ ମୁକ୍ତ କରିବାକୁ ହେବ। ଏଥିପାଇଁ ସେମାନେ ଫେବୃଆରି ୨୨ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ଯଦି ଏହି ସମୟ ମଧ୍ୟରେ ପାକିସ୍ତାନ ସରକାର ଆଲୋଚନା ପାଇଁ ଆଗକୁ ନଆସନ୍ତି, ତେବେ ବନ୍ଧକ ସୈନ୍ୟଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ବିଏଲଏ ଧମକ ଦେଇଛି। ଭିଡିଓରେ ବନ୍ଧକ ସୈନ୍ୟମାନେ ସେମାନଙ୍କର ଅଫିସିଆଲ୍ ପରିଚୟ ପତ୍ର ଦେଖାଉଥିବା ନଜର ଆସିଛନ୍ତି। ଏହି ଘଟଣା ପରେ ପାକିସ୍ତାନୀ ସେନା ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ପ୍ରତିକ୍ରିୟା ମିଳିନାହିଁ।

Tags: