ସପ୍ତାହରେ ଦ୍ୱିତୀୟ ଥର ବଢ଼ିଲା ତୈଳ ଦର: ବ୍ୟାରେଲ ପିଛା ୧୧୧ ଡଲାର ଟପିଲା
ନୂଆଦିଲ୍ଲୀ: ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗତ ଏକ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଦରବୃଦ୍ଧି। ସୋମବାର ତୈଳ କମ୍ପାନୀଗୁଡ଼ିକ ଖୁଚୁରା ମୂଲ୍ୟରେ ସଂଶୋଧନ କରିବା ପରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ୮୭ ପଇସା ମହଙ୍ଗା ହୋଇ ଲିଟର ପିଛା ୯୮.୬୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ମଧ୍ୟ ୯୧ ପଇସା ବୃଦ୍ଧି ପାଇ ଲିଟର ପିଛା ୯୧.୫୮ ଟଙ୍କା ହୋଇଯାଇଛି। ଗତ ଶୁକ୍ରବାର ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ବୃଦ୍ଧି ପରେ ପୁଣି ଦରବୃଦ୍ଧି ସାଧାରଣ ଖାଉଟିଙ୍କ ପରିବହନ ଓ ଘରୋଇ ବଜେଟ୍ ଉପରେ ବୋଝ ଆହୁରି ବଢ଼ାଇ ଦେଇଛି। ଦେଶର ଚାରୋଟି ମହାନଗର ମଧ୍ୟରେ କୋଲକାତାରେ ପେଟ୍ରୋଲ ସବୁଠାରୁ ମହଙ୍ଗା (୯୬ ପଇସା ବୃଦ୍ଧି ସହ ୧୦୯ଟଙ୍କା ୭୦ ପଇସା) ହୋଇଥିବା ବେଳେ ଚେନ୍ନାଇରେ ଏହା ୧୦୪.୪୯ ଟଙ୍କାରେ ପହଞ୍ଚିଛି। ଏହି ଦରବୃଦ୍ଧି କେବଳ ପେଟ୍ରୋଲ ପମ୍ପରେ ସୀମିତ ନରହି ଖାଦ୍ୟ ସାମଗ୍ରୀ, ବିମାନ ଯାତ୍ରା ଓ ମାଲ୍ ପରିବହନ ଖର୍ଚ୍ଚ ବଢ଼ାଇବା ସହ ଦେଶରେ ସାମଗ୍ରିକ ମୁଦ୍ରାସ୍ଫୀତି ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି।
Tags:



