ଲସ୍କର ଏବଂ ଜୈଶର ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷିତ କଲା ଭାରତ

ଲସ୍କର ଏବଂ ଜୈଶର ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷିତ କଲା ଭାରତ
Samaya Live Desk Picture
Published On
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତ ଏକ ବଡ଼ ପଦକ୍ଷେପ ନେବା ସହ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜୈଶ୍-ଏ-ମହମ୍ମଦର ୨୩ ଜଣ ସଦସ୍ୟଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ ଭାବରେ ଘୋଷିତ କରିଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଗେଜେଟ୍ ବିଜ୍ଞପ୍ତିରେ ୟୁଏପିଏର ଚତୁର୍ଥ ସୂଚୀରେ ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସରକାର କହିଛନ୍ତି ଯେ, ସେମାନେ ସମସ୍ତେ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନ କିମ୍ବା ପାକ୍ ଅଧିକୃତ କାଶ୍ମୀରରେ ଲୁଚି ରହିଛନ୍ତି। ଗୃହ ମନ୍ତ୍ରଣାଳୟର ତାଲିକାରେ ଜୈଶ୍-ଏ-ମହମ୍ମଦର ମାସୁଦ ଇଲିଆସ୍ କାଶ୍ମୀରୀ, ମହମ୍ମଦ ମୁସାଦିକ୍, ମୁଫ୍ତି ମହମ୍ମଦ ଅସଗର ଖାନ, ହାଫିଜ୍ ଅବଦୁଲ୍ ଶକୁରଙ୍କ ନାମ ରହିଛି। ସେମାନଙ୍କ ଉପରେ ୨୦୧୬ରେ ନାଗରୋଟାରେ ଭାରତୀୟ ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ୨୦୨୨ରେ ଜମ୍ମୁର ସୁଞ୍ଜୱାନରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ଏହା ବ୍ୟତୀତ, ଲସ୍କର-ଏ-ତୈବା ସହିତ ଜଡିତ ଅବଦୁଲ୍ ରଉଫ୍ ଏବଂ ହାଫିଜ୍ ଖାଲିଦ୍ ୱାଲିଦ୍‌ଙ୍କୁ ଆତଙ୍କବାଦୀ ନେତା ହାଫିଜ୍ ମହମ୍ମଦ ସଇଦର ଘନିଷ୍ଠ ସହଯୋଗୀ ଭାବରେ ବର୍ଣ୍ଣନା କରାଯାଇଛି। ତାଲିକାରେ ମହମ୍ମଦ ଶାହିଦ ଫୈସଲ, ଓରଫ ଉସ୍ତାଦ, ଓରଫ ଜାକିରଙ୍କ ନାମ ମଧ୍ୟ ରହିଛି। ଏମାନେ ପୂର୍ବରୁ ବେଙ୍ଗାଲୁରୁରେ ରହୁଥିଲା ବେଳେ ଏବେ ପାକିସ୍ତାନର ରାୱଲପିଣ୍ଡିରେ ରହୁଥିବା ସରକାର ଜଣାଇଛନ୍ତି।
Tags: