ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପିର ନୂଆ ରେକର୍ଡ

ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପିର ନୂଆ ରେକର୍ଡ

ମୁମ୍ବାଇ: ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି- ଶିବସେନା(ସିନ୍ଦେ) ନେତୃତ୍ବାଧୀନ ମହାୟୁତି ମେଣ୍ଟ ବାଜି ମାରିନେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନେତୃତ୍ବରେ ବିଜେପି ମୁମ୍ବାଇ ମହାନଗର ନିଗମରେ ୨୨୭ ୱାର୍ଡରୁ ୮୯ଟି ୱାର୍ଡରେ ବିଜୟୀ ହୋଇଛି। ୨୦୧୭ରେ ବିଜେପି ଏଠାରେ ୮୨ ଆସନରେ ଜିତିଥିବାବେଳେ ଚଳିତଥର ଏହି ସଂଖ୍ୟାକୁ ଟପି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଅନ୍ୟପକ୍ଷେ ବିଜେପିର‌ ମେଣ୍ଟ ସହଯୋଗୀ ଶିବସେନା ୨୯ ଆସନ ପାଇଛି। ଉଭୟ ଏକାଠି ସହଜରେ ମୁମ୍ବାଇ‌ରେ ମ୍ୟାଜିକ୍‌ ନମ୍ବର ୧୧୪ ଅତିକ୍ରମ କରିଛନ୍ତି। ଫଳରେ ଚଳିତ ଥର ଅନେକ ବର୍ଷ ପରେ ମୁମ୍ବାଇକୁ ବିଜେପି- ଶିବସେନା (ସିନ୍ଦେ)ରୁ ଜଣେ ମେୟର ମିଳିବେ। ଏଥିସହିତ ମୁମ୍ବାଇରେ ଦୀର୍ଘ ୨୮ ବର୍ଷ ପରେ ଠାକ୍‌ରେ ଗଡ଼ ଭୁଶୁଡ଼ି ପଡ଼ିଛି ଇତି ମଧ୍ୟରେ ଶିବସେନା (ୟୁବିଟି ) ମେଣ୍ଟ ମୁମ୍ବାଇରେ ୬୫ ଆସନରେ ସନ୍ତୁଷ୍ଟ ରହିଛି।

ସମ୍ବନ୍ଧିତ ଖବର ହରିୟାଣା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ସିମଲା ପଠାଇଲା କଂଗ୍ରେସ

ମହାରାଷ୍ଟ୍ରରେ ମୋଟ୍‌ ୨୯ଟି ପୌର ନିଗମରେ ୮୯୨ ୱାର୍ଡର ୨୮୬୯ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ନିର୍ବାଚନ ଫଳ ଏବେ ବିଜେପି ସପକ୍ଷରେ ଆସିଛି। ରାଜ୍ୟ ନିର୍ବାଚନ କମିସନ୍‌ କହିଛନ୍ତି, ମହାରାଷ୍ଟ୍ରରେ ମୋଟ୍‌ ମତଦାନ ପ୍ରତିଶତ ୫୪.୭୭ ରହିଛି। ନୂଆକରି ଗଠନ ହୋଇଥିବା ଇଚାଲକରଞ୍ଜି ପୌର ନିଗମରେ ସର୍ବାଧିକ ୬୯.୭୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ମୁମ୍ବାଇରେ ୫୨.୯୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଉଲ୍ଳେଖଯୋଗ୍ୟ ଯେ ଚଳିତଥର ମହାରାଷ୍ଟ୍ର ପୌର ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିଲା। ଦେଶର ଆର୍ଥିକ ରାଜଧାନୀରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ଏବଂ ଏକାଠି ହୋଇଥିବା ଠାକ୍‌ରେ ଭ୍ରାତା ତଥା ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ରାଜ୍‌ ଠାକ୍‌ରେଙ୍କ ଏମ୍‌ଏନଏସ ମଧ୍ୟରେ ଏକ ପ୍ରେଷ୍ଟିଜ୍‌ ଲଢ଼େଇ ହୋଇଥିଲା। କିନ୍ତୁ ଉଦ୍ଧବ ଠାକ୍‌ରେ ଏବଂ ରାଜ୍‌ ଠାକ୍‌ରେ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି।

ସମ୍ବନ୍ଧିତ ଖବର କରୁର ଦଳାଚକଟା ମାମଲା

 

ସମ୍ବନ୍ଧିତ ଖବର କାର୍‌ ଇଏମ୍‌ଆଇକୁ ନେଇ ଝଗଡ଼ା ହେବାରୁ ପଶ୍ଚିମବଙ୍ଗ ନର୍ସଙ୍କୁ ଜିଅନ୍ତା ଜାଳିଦେଲା ସ୍ବାମୀ

Tags: