ମୁମ୍ବାଇରେ ସଚିନଙ୍କ ସହ ବୁଲିଲେ ପ୍ରିନ୍ସ ୱିଲିୟମ୍ ଓ କେଟ୍; ଗଳି କ୍ରିକେଟ୍ର ମଜା ନେଲେ ବ୍ରିଟିଶ୍ ରାଜଦମ୍ପତି
ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ର ପ୍ରିନ୍ସ ୱିଲିୟମ୍ ଓ ପ୍ରିନ୍ସେସ୍ କେଟ୍ ମିଡଲଟନ୍ ମୁମ୍ବାଇରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ସହର ପରିଭ୍ରମଣ କରିଛନ୍ତି। ଏହି ଅବସରରେ ସେମାନେ ମୁମ୍ବାଇର ଐତିହାସିକ ବଲାର୍ଡ ଇଷ୍ଟେଟ୍ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଖାଦ୍ୟପେୟ ଓ ସଂସ୍କୃତିର ମଜା ନେଇଥିଲେ। ଭାରତୀୟ କ୍ରିକେଟ୍ର ମହାନ ତାରକା ସଚିନ ଏହି ରାଜଦମ୍ପତିଙ୍କୁ ମୁମ୍ବାଇର ଜନଜୀବନ ସହ ପରିଚିତ କରାଇଥିଲେ। ସୋମବାର ଏହି ରାଜଦମ୍ପତିଙ୍କ ତିନିଦିନିଆ ଭାରତ ଗସ୍ତ ଆରମ୍ଭ ହୋଇଛି। ବଲାର୍ଡ ଇଷ୍ଟେଟ୍ ଅଞ୍ଚଳରେ ସଚିନଙ୍କ ସହ ସେମାନେ ବୁଲିବା ସମୟରେ ଦେଶର ଅନ୍ୟତମ ପୁରାତନ ଫଟୋଗ୍ରାଫି ଷ୍ଟୁଡିଓ ହାମିଲଟନ୍ ଷ୍ଟୁଡିଓ ସମ୍ମୁଖରେ ମଧ୍ୟ ନଜର ଆସିଥିଲେ। ଏହା ସହ ମୁମ୍ବାଇର ପ୍ରସିଦ୍ଧ ରାସ୍ତାକଡ଼ ଖାଦ୍ୟର ସ୍ୱାଦ ଚାଖିଥିଲେ। ପରେ ସ୍ଥାନୀୟ ପିଲାମାନଙ୍କ ସହ ଗଳି କ୍ରିକେଟ୍ ଖେଳରେ ମଧ୍ୟ ଭାଗ ନେଇଥିଲେ। ଏହି ଗସ୍ତରେ କ୍ରିକେଟ୍କୁ ନେଇ ଏକ ସ୍ୱତନ୍ତ୍ର ଆକର୍ଷଣ ଦେଖିବାକୁ ମିଳିଥିଲା। ପ୍ରିନ୍ସ ୱିଲିୟମ୍ ବ୍ୟାଟିଂ କରିବା ସହ ବୋଲିଂ ମଧ୍ୟ କରିଥିଲେ। ଏପରିକି ଜଣେ ସ୍କୁଲ ଛାତ୍ରୀଙ୍କ ବୋଲିଂରେ ସେ ଆଉଟ୍ ହୋଇଥିଲେ। ପ୍ରିନ୍ସେସ୍ କେଟ୍ ମଧ୍ୟ ବ୍ୟାଟିଂ କରି ଖେଳକୁ ଉପଭୋଗ କରିଥିଲେ। ସଚିନଙ୍କ ସହ ଏହି ଖେଳ ରାଜଦମ୍ପତିଙ୍କ ଗସ୍ତକୁ ଅଧିକ ସ୍ମରଣୀୟ କରିଥିଲା। ଉଲ୍ଲେଖଯୋଗ୍ୟ, ୨୦୧୬ ଏପ୍ରିଲ୍ରେ ପ୍ରଥମ ଭାରତ ଗସ୍ତ ସମୟରେ ମଧ୍ୟ ୱିଲିୟମ୍ ଓ କେଟ୍ ମୁମ୍ବାଇରେ ସ୍ଥାନୀୟ ପିଲାଙ୍କ ସହ କ୍ରିକେଟ୍ ଖେଳିଥିଲେ। ଦଶ ବର୍ଷ ପରେ ପୁଣି ଥରେ ଏହି ସହରରେ କ୍ରିକେଟ୍ ସହ ଯୋଡ଼ି ହୋଇଛନ୍ତି ସେମାନେ। ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଷଷ୍ଠ ‘ଆର୍ଥସଟ୍ ପୁରସ୍କାର’ ସମାରୋହରେ ଯୋଗଦେବା ପାଇଁ ଏହି ଦମ୍ପତ୍ତି ଭାରତ ଆସିଛନ୍ତି। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ୨୦୨୦ରେ ପ୍ରିନ୍ସ ୱିଲିୟମ୍ ଏହି ପୁରସ୍କାର ଆରମ୍ଭ କରିଥିଲେ। ପାଞ୍ଚଟି ବିଜେତା ପ୍ରକଳ୍ପକୁ ପ୍ରତ୍ୟେକ ୧୦ ଲକ୍ଷ ପାଉଣ୍ଡ ପୁରସ୍କାର ଦିଆଯିବ। ମୁମ୍ବାଇ କାର୍ଯ୍ୟକ୍ରମ ପରେ ନଭେମ୍ବର ୧୮ରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ରାଜଦମ୍ପତି ସାକ୍ଷାତ କରିବେ।
Tags:




