ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିବ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ୍ ଓ ଆମେରିକା-ଇସ୍ତ୍ରାଏଲ୍ ଯୁଦ୍ଧ ଯୋଗୁଁ ଭାରତରେ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରରେ ଔଷଧର ମୂଲ୍ୟରେ ୦.୬୫% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଔଷଧ କମ୍ପାନୀଗୁଡ଼ିକ ବାର୍ଷିକ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦିଷ୍ଟ ସୂତ୍ର ଅନୁସାରେ ପୃଥକ ସରକାରୀ ଅନୁମୋଦନ ବିନା ସେମାନଙ୍କ ଉତ୍ପାଦର ଏମଆରପି ବୃଦ୍ଧି କରିପାରିବେ।
ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ମୁଖ୍ୟ ଉପାଦାନ କିମ୍ବା କଞ୍ଚାମାଲର ମୂଲ୍ୟ ବୃଦ୍ଧି ହେବା ଏହି ଦରବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ଅନୁଯାୟୀ, ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି ଯୋଗୁଁ ବାଣିଜ୍ୟ ପ୍ରଭାବିତ ହୋଇଛି। ବିଶେଷ କରି ପ୍ୟାକେଜିଂ ପାଇଁ ବ୍ୟବହୃତ ପ୍ଲାଷ୍ଟିକ୍ ଦାନା, ଆଲୁମିନିୟମ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମହଙ୍ଗା ହୋଇଥିବାରୁ ଔଷଧର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି। ସିରିଞ୍ଜ ଓ ଥର୍ମୋମିଟର ଭଳି ଚିକିତ୍ସା ଉପକରଣର ମୂଲ୍ୟ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ନିକଟ ଅତୀତରେ ସାଧାରଣତଃ ବ୍ୟବହୃତ ହେଉଥିବା ଅନେକ ଔଷଧର କଞ୍ଚାମାଲ ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଘଟିଛି। ପାରାସିଟାମଲର ମୂଲ୍ୟ ପ୍ରାୟ ୪୭% ବୃଦ୍ଧି ପାଇଥିବା ବେଳେ ଯନ୍ତ୍ରଣା ନିବାରକ(ପେନ୍ କ୍ଲିୟର) ଡାଇକ୍ଲୋଫେନାକ ମୂଲ୍ୟ ୫୪% ବଢ଼ିଛି। ସେହିପରି ଆଣ୍ଟିବାୟୋଟିକ୍ ବର୍ଗର ଆମୋକ୍ସିଲିସିନ ୪୫% ଏବଂ ସିପ୍ରୋଫ୍ଲୋକ୍ସାସିନର ମୂଲ୍ୟ ପ୍ରାୟ ୬୦% ବୃଦ୍ଧି ପାଇଛି।



