ମଣିପୁର ବିସ୍ଫୋରଣ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ମଣିପୁର ବିସ୍ଫୋରଣ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
Samaya Live Desk Picture
Published On
ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଗତ ଏପ୍ରିଲ ମାସରେ ଘଟିଥିବା ଭୟଙ୍କର ଆଇଇଡି ବିସ୍ଫୋରଣ ଘଟଣାର ତଦନ୍ତ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଚୁରାଚାନ୍ଦପୁରର ୪୮ ବର୍ଷୀୟ ଥାଙ୍ଗମାଙ୍ଗ ହାଓକିପ୍ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୫ ତାରିଖରେ ତାକୁ ଗିରଫ କରାଯିବା ପରେ ଇମ୍ଫାଲ ସ୍ୱେସାଲ କୋର୍ଟରେ ହାଜର କରାଯାଇ ୧୨ ଦିନିଆ ପୁଲିସ୍ ରିମାଣ୍ଡରେ ନିଆଯାଇଥିବା ଏନଆଇଏ ପ୍ରବକ୍ତା ଆଜି ସୂଚନା ଦେଇଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ପ୍ରଥମ ଅଭିଯୁକ୍ତ ଏସ୍. ପାଲାଲ ଥାଡୋ କୁକିଙ୍କୁ ଗତ ଅଗଷ୍ଟ ୧୨ ତାରିଖରେ ଗିରଫ କରାଯାଇଥିଲା ଏବଂ ସେ ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୭ ତାରିଖରେ ବିଷ୍ଣୁପୁର ଜିଲ୍ଲା ମୋଇରାଙ୍ଗସ୍ଥିତ ଟ୍ରୋଙ୍ଗଲାଓବି ଆୱାଙ୍ଗ ଲେକାଇ ଅଞ୍ଚଳର ଏକ ଆବାସିକ ଘର ଉପରକୁ ପାହାଡ଼ିଆ ଅଞ୍ଚଳରୁ ଦୁର୍ବୃତ୍ତମାନେ ଶକ୍ତିଶାଳୀ ବିସ୍ଫୋରକ ନିକ୍ଷେପ କରିଥିଲେ। ଏହି ବିସ୍ଫୋରଣରେ ଘରର କାନ୍ଥ ଭାଙ୍ଗିଯିବା ସହ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ନାବାଳକ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଏକ ଅଫୁଟା ଆରପିଜି ମଧ୍ୟ ଜବତ କରାଯାଇଥିଲା। ପ୍ରଥମେ ମୋଇରାଙ୍ଗ ଥାନାରେ ଏହି ମାମଲା ରୁଜୁ ହୋଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ଏନଆଇଏ ଏହାକୁ ନିଜ ହାତକୁ ନେଇ ଭାରତୀୟ ନ୍ୟାୟ ସଂହିତା, ବିସ୍ଫୋରକ ପଦାର୍ଥ ଆଇନ ଏବଂ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅଧୀନରେ ମାମଲା ରୁଜୁ କରିଥିଲା। ଏହି ଷଡ଼ଯନ୍ତ୍ର ପଛରେ ଥିବା ଅନ୍ୟ ସହଯୋଗୀ ଏବଂ ବୃହତ ନେଟୱାର୍କକୁ ପଦାକୁ ଆଣିବା ପାଇଁ ତଦନ୍ତ ଜାରି ରହିଛି।
Tags: