ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ
ଇମ୍ଫାଲ : ମଣିପୁର ବିଜେପି ବିଧାୟକ ଦଳ ନେତା ୟୁମନାମ ଖେମଚାନ୍ଦ ସିଂହ ବୁଧବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜାତିଗତ ବିବାଦ-ପ୍ରପୀଡ଼ିତ ରାଜ୍ୟରେ ପ୍ରାୟ ଏକ ବର୍ଷ ପରେ ରାଷ୍ଟ୍ରପତି ଶାସନ ଶେଷ ହୋଇଛି। ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲା ଇମ୍ଫାଲର ଲୋକ ଭବନରେ ଖେମଚାନ୍ଦଙ୍କୁ ଶପଥପାଠ କରାଇଛନ୍ତି। ଏହି ଉତ୍ସବରେ ରାଜ୍ୟର ଅନେକ ବିଜେପି ବିଧାୟକ, ଦଳର ବରିଷ୍ଠ କର୍ମକର୍ତ୍ତା ଓ ଏନ୍ଡିଏର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଫେବ୍ରୁଆରି ୩ ତାରିଖରେ ମଣିପୁର ବିଧାନସଭାର ୪୫ରୁ ଅଧିକ ବିଧାୟକ ମୈତେୟୀ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଖେମଚାନ୍ଦଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବା ନେଇ ସହମତି ପ୍ରକାଶ କରିଥିଲେ। କ୍ଷମତା ବଣ୍ଟନ ଚୁକ୍ତିର ଏକ ଅଂଶ ଭାବରେ କୁକି ସମ୍ପ୍ରଦାୟର ନେମଚା କିପଗେନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ସେ ମଣିପୁରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାବେଳେ ଗୋବିନ୍ଦ ଦାସ କନ୍ଥୋଜାମ ଗୃହମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ମଣିପୁରରେ ରାଷ୍ଟ୍ରପତି ଶାସନ ପ୍ରଥମେ ଫେବ୍ରୁଆରି ୧୩, ୨୦୨୫ରେ ଲାଗୁ କରାଯାଇଥିଲା ଏବଂ ପରେ ଅଗଷ୍ଟ ୧୩ରେ ଛଅ ମାସ ପାଇଁ ବୃଦ୍ଧି କରାଯାଇଥିଲା।
୬୨ ବର୍ଷୀୟ ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ଜଣେ ବିଜେପି ନେତା। ସେ ଉଭୟ ୨୦୧୭ ଓ ୨୦୨୨ ବିଧାନସଭା ନିର୍ବାଚନରେ ସିଙ୍ଗଜାମେଇ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ତାଏକୋଣ୍ଡୋ ବ୍ଲାକ୍ ବେଲ୍ଟ ହାସଲ କରିଥିବା ଖେମଚାନ୍ଦ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ସହ ମିଶି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ, ଯିଏକି ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଜାତିଗତ ସଂଘର୍ଷକୁ ରୋକିବାରେ ଅସମର୍ଥ ହେବାରୁ ଗତବର୍ଷ ଇସ୍ତଫା ଦେଇଥିଲେ। ଖେମଚାନ୍ଦ ୨୦୧୩ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୧୭ରେ ବିଧାନସଭାରେ ପ୍ରବେଶ କରିଥିଲେ। ପ୍ରଥମ ବୀରେନ ସିଂହ ସରକାରରେ ସେ ମଣିପୁର ବିଧାନସଭାର ବାଚସ୍ପତି ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ସେ ଦ୍ୱିତୀୟ ବୀରେନ୍ ସିଂହ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇ ପୌର ପ୍ରଶାସନ ଓ ଗୃହ ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଏବଂ ଶିକ୍ଷା ବିଭାଗ ସମେତ ପ୍ରମୁଖ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ।



