ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଦୋଷୀଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ, ଜାମିନ ଦେଲେ ସୁପ୍ରିମକୋର୍ଟ

ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଦୋଷୀଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ, ଜାମିନ ଦେଲେ ସୁପ୍ରିମକୋର୍ଟ
Samaya Live Desk Picture
Published On
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଦୁଇ ଦୋଷୀ ବିପିନଚନ୍ଦ୍ର କନାଇୟାଲାଲ ଯୋଶୀ ଓ ପ୍ରଦୀପ ରାମନଲାଲ ମୋଢିଆଙ୍କ ଆଜୀବନ କାରାଦଣ୍ଡ ଉପରେ ରୋକ୍ ଲଗାଇବା ସହ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଜେଲ୍‌ରେ ବିତାଇଥିବା ଏବଂ ମାମଲାରେ ଆଇନଗତ ଓ ତଥ୍ୟଗତ ପ୍ରସଙ୍ଗର ବିଚାର ବାକି ରହିଥିବା ଦର୍ଶାଇ କୋର୍ଟ ଏହି ଆଦେଶ ଦେଇଛନ୍ତି।ଜଷ୍ଟିସ୍ ଏମ୍‌.ଏମ୍‌. ସୁନ୍ଦରେଶ ଓ ଜଷ୍ଟିସ୍ ପ୍ରସନ୍ନା ବି. ବରାଲେଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଥିଲେ। ତେବେ ଜାମିନର ସର୍ତ୍ତାବଳୀ ସମ୍ପୃକ୍ତ ଟ୍ରାଏଲ୍ କୋର୍ଟ ସ୍ଥିର କରିବେ। ଦୁଇ ଦୋଷୀ ବମ୍ବେ ହାଇକୋର୍ଟଙ୍କ ୨୦୧୭ ମସିହାର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉକ୍ତ ରାୟରେ ସେମାନଙ୍କ ଦୋଷସିଦ୍ଧି ଓ ଆଜୀବନ କାରାଦଣ୍ଡକୁ କାଏମ ରଖାଯାଇଥିଲା। ଶୁଣାଣି ସମୟରେ ଦୋଷୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଘଟଣାର ପ୍ରାୟ ତିନି ବର୍ଷ ପରେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ଜଣେ ଦୋଷୀଙ୍କ ନାମ ପ୍ରାରମ୍ଭିକ ଏଫ୍‌ଆଇଆର୍‌ରେ ନଥିଲା। ଏଥିସହ ଜଣେ ଦୋଷୀ ଶାରୀରିକ ଭାବେ ଗୁରୁତର ଅକ୍ଷମ ଥିବା କଥା ମଧ୍ୟ କୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଅନ୍ୟପକ୍ଷରେ, ଗୁଜରାଟ ସରକାରଙ୍କ ପକ୍ଷରୁ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ଅପରାଧର ଗମ୍ଭୀରତା ଏବଂ ନିମ୍ନ ଅଦାଲତଙ୍କ ରାୟକୁ ଏହାର ଆଧାର ଭାବେ ଦର୍ଶାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ୨୦୨୨ ଅଗଷ୍ଟରେ ଗୁଜରାଟ ସରକାର ସେମାନଙ୍କୁ ଆଗୁଆ ମୁକ୍ତି ଦେଇଥିଲେ। କିନ୍ତୁ ୨୦୨୪ ଜାନୁଆରିରେ ସୁପ୍ରିମକୋର୍ଟ ଏହି ମୁକ୍ତି ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ଏବେ ଦୁଇ ଦୋଷୀଙ୍କୁ ମିଳିଥିବା ଜାମିନ ସେମାନଙ୍କ ଦୋଷସିଦ୍ଧିକୁ ରଦ୍ଦ କରୁନାହିଁ। ମାମଲାରେ ସେମାନଙ୍କ ଆବେଦନର ଶୁଣାଣି ଜାରି ରହିବ।
Tags: