ପ୍ରଧାନମନ୍ତ୍ରୀ ମୋଦିଙ୍କ କନଭୟ ରୁଟରୁ ବିସ୍ଫୋରକ ମିଳିବା ଘଟଣାରେ ୬ ପୁଲିସ୍ କର୍ମଚାରୀ ନିଲମ୍ବିିତ
ବେଙ୍ଗାଲୁରୁ: ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ ଗସ୍ତ କରିଥିଲେ। ସେଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ କନଭୟ ଅତିକ୍ରମ କରିବାକୁ ଥିବା ରାସ୍ତା କଡ଼ରୁ କିଛି ଜିଲୋଟିନ ଷ୍ଟିକ ମିଳିଥିଲା। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ଏହି ଘଟଣାରେ ବେଙ୍ଗାଲୁରୁ ପୁଲିସ୍ର ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କରି ଦିଆଯାଇଛି। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ଜିଲୋଟିନ ଷ୍ଟିକଗୁଡ଼ିକ ମୋଦିଙ୍କ ଗସ୍ତ ପୂର୍ବରୁ ହୋଇଥିବା ରୁଟିନ ସୁରକ୍ଷା ଯାଞ୍ଚ ସମୟରେ ଗୋଟିଏ ଫୁଟପାଥରୁ ମିଳିଥିଲା। ମୋଦିଙ୍କ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରୁ ଜିଲୋଟିନ ମିଳିଥିବା ସ୍ଥାନଟି ପ୍ରାୟ ୩ କିମି ଦୂର। ଏବେ ଘଟଣାର ତଦନ୍ତ ଶେଷ ନ ହେବା ଯାଏ ୬ ଜଣ ପୁଲିସ୍ କର୍ମଚାରୀ ନିଲମ୍ବନ ହୋଇ ରହିବେ। ଏବେ ପୁଲିସ ଅଧିକାରୀମାନେ ମୋଦିଙ୍କ କନଭୟ ରୁଟକୁ କେମିତି ଜିଲୋଟିନ ଆସିଲା, ତା’ର ତଦନ୍ତ କରୁଛନ୍ତି। ସେହିପରି ଏହା ପଛରେ କିଛି ଅନ୍ତର୍ଘାତୀ କାର୍ଯ୍ୟ ଥିଲା କି ନାହିଁ, ତା’ର ବି ଖୋଳତାଡ଼ ହେଉଛି। ଜିଲୋଟିନ ଷ୍ଟିକ ଠାବ ହେବା ପରେ ରାଜନୀତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଥିଲା। କର୍ଣ୍ଣାଟକା ବିଜେପି ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଥିଲା।



