ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବ ଭାରତ, କିଣିବ ଅଧିକ ଏସ୍-୪୦୦

ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବ ଭାରତ, କିଣିବ ଅଧିକ ଏସ୍-୪୦୦
Samaya Live Desk Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ନିଜର ପ୍ରତିରକ୍ଷା କ୍ଷମତା ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛି। ରୁଷ୍‌ଠାରୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରାୟ ୨.୩୮ ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର, ବିମାନ ଓ ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୃହତ୍ ପ୍ରତିରକ୍ଷା ଚୁକ୍ତି ମାଧ୍ୟମରେ ଭାରତୀୟ ବାୟୁସେନା ପାଇଁ ରୁଷ୍‌ରୁ ଅତିରିକ୍ତ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ନୂତନ ମଧ୍ୟମ ପରିବହନ ବିମାନ ଓ ଷ୍ଟ୍ରାଇକ୍ ଡ୍ରୋନ୍ କ୍ରୟ କରାଯିବ। ଏଥିସହିତ ସ୍ଥଳସେନା ପାଇଁ ଧନୁଷ୍ ବନ୍ଧୁକ ପ୍ରଣାଳୀ ଓ ବାୟୁ ପ୍ରତିରକ୍ଷା ଟ୍ରାକଡ୍ ସିଷ୍ଟମ୍ ଏବଂ ତଟରକ୍ଷୀ ବାହିନୀ ପାଇଁ ଶକ୍ତିଶାଳୀ ଏୟାର୍ କୁଶନ ଯାନ ସାମିଲ କରିବା ପାଇଁ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି, ଯାହା ଦେଶର ସାମରିକ ସାମର୍ଥ୍ୟକୁ ବିଶ୍ୱସ୍ତରରେ ଆହୁରି ସୁଦୃଢ଼ କରିବ।

ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷ୍‌ରୁ ଅତିରିକ୍ତ ଏସ୍-୪୦୦ ସହିତ ଦୂରଗାମୀ ଷ୍ଟେଲଥ୍ ଡ୍ରୋନ୍ କ୍ରୟ କରାଯାଉଛି। ସେହିପରି ବାୟୁସେନାରେ ଥିବା ପୁରୁଣା ଏନ୍-୩୨ ଓ ଆଇଏଲ୍-୭୬ ପରିବହନ ବିମାନ ବଦଳରେ ନୂଆ ମଧ୍ୟମ ପରିବହନ ବିମାନ ସାମିଲ ହେବ, ଯାହା ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପରିବହନକୁ ଅଧିକ ଦ୍ରୁତ କରିବ। ଏଥିସହିତ ସୁ-୩୦ ଯୁଦ୍ଧ ବିମାନର ଇଞ୍ଜିନ୍ ମରାମତି ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ସ୍ଥଳସେନାର ଶକ୍ତି ବୃଦ୍ଧି ପାଇଁ ‘’ଧନୁଷ୍’ ବନ୍ଧୁକ ଓ ଟ୍ୟାଙ୍କ୍ କ୍ରୟକୁ ଅନୁମୋଦନ ଦିଆଯାଇଛି। ସୀମାରେ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ଉଚ୍ଚ-କ୍ଷମତାସମ୍ପନ୍ନ ରେଡିଓ ରିଲେ ଓ ରନ୍‌ୱେ ସ୍ୱାଧୀନ ଏରିଆଲ୍ ନିରୀକ୍ଷଣ ପ୍ରଣାଳୀ ସେନାରେ ସାମିଲ ହେବ।


Tags: