ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଟ୍ରକ ସହିତ କାରର ମର୍ମନ୍ତୁଦ ଧକ୍କା: ୩ ଟେନିସ୍ ଖେଳାଳିଙ୍କ ମୃତ୍ୟୁ
ଅଯୋଧ୍ୟା: ବୁଧବାର ସକାଳ ପ୍ରାୟ ୫ଟା ସମୟରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଆସୁଥିବା ଏକ ଦ୍ରୁତଗାମୀ ଏର୍ଟିଗା କାର ଟ୍ରକକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ତିନି ଜଣ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଦେଓରିଆର ୨୨ ବର୍ଷ ବୟସ୍କ ନିବାସୀ ନିତ୍ୟ ପ୍ରଜାପତି, ୨୦ ବର୍ଷ ବୟସ୍କ ଇରଫାନ ଅନସାରୀ ଏବଂ ୨୪ ବର୍ଷ ବୟସ୍କ ଅନିକେତଙ୍କର ମୃତ୍ୟୁ ଘଟିଛି। ଦେଓରିଆର ଲାର ଥାନା ଅଞ୍ଚଳର ଲାଖୌରାର ନିବାସୀ ୨୩ ବର୍ଷ ବୟସ୍କ ଆନନ୍ଦ ଯାଦବ, ୨୨ ବର୍ଷ ବୟସ୍କ ତୈୟାର ବୁଜୁର୍ଗର ନିବାସୀ ରାଜୁ ଏବଂ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଜାମୁନି ନିବାସୀ ଜନାର୍ଦ୍ଦନଙ୍କ ପୁଅ ୩୦ ବର୍ଷ ବୟସ୍କ ଜୟନ୍ତୋ ଶର୍ମା ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, କାରରେ ଛଅ ଜଣ ଯୁବ ଖେଳାଳି ଥିଲେ। ସମସ୍ତେ ଲକ୍ଷ୍ନୌରୁ ଦେଓରିଆ ଫେରୁଥିଲେ। ଧକ୍କା ଯୋଗୁଁ କାରଟି ଚେପା ହୋଇଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଫସି ରହିଥିଲେ। ସୂଚନା ପାଇ ସୁରକ୍ଷା କର୍ମୀ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆହତମାନଙ୍କୁ ଆମ୍ବୁଲାନ୍ସ ଦ୍ୱାରା କୁମାରଗଞ୍ଜ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତ ତିନି ଜଣଙ୍କୁ ଦର୍ଶନ ନଗର ମେଡିକାଲ କଲେଜକୁ ପଠାଯାଇଛି।
Tags:




