ପାକିସ୍ତାନରେ ନମାଜ ପାଠବେଳେ ବିସ୍ଫୋରକ ଭର୍ତ୍ତି ଗାଡ଼ିରେ ଆକ୍ରମଣ, ୧୬ ମୃତ

ପାକିସ୍ତାନରେ ନମାଜ ପାଠବେଳେ ବିସ୍ଫୋରକ ଭର୍ତ୍ତି ଗାଡ଼ିରେ ଆକ୍ରମଣ, ୧୬ ମୃତ
Samaya Live Desk Picture
Published On
ଇସଲାମାବାଦ: ପାକିସ୍ତାନରେ ଶୁକ୍ରବାର ନମାଜ ପାଠ ସମୟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ ପୁଲିସ କାର୍ଯ୍ୟାଳୟ କମ୍ପ୍ଲେକ୍ସ ଓ ଏହାର ନିକଟରେ ଥିବା ମସଜିଦ୍‌କୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଧକ୍କା ଦେବା ପରେ ତୀବ୍ର ବିସ୍ଫୋରଣ ଘଟି ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଖାଇବର ପଖତୁନଖ୍ବାର ରାଜଧାନୀ ପେଶାୱାର ଦକ୍ଷିଣ ପଶ୍ଚିମରେ ୬୦ କିମି ଦୂରରେ କୋହାଟ ଜିଲ୍ଲା ପୁରୁଣା ପୁଲିସ ଲାଇନ୍ସରେ ଘଟିଥିଲା। ବିସ୍ଫୋରଣ ଯୋଗୁଁ ମସଜିଦ୍‌ର କାନ୍ଥ ଭାଙ୍ଗି ଯାଇଥିବାବେଳେ ଏହାର ସମ୍ମୁଖରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ନମାଜ ପାଠ କରୁଥିବାବେଳେ ପୁଲିସ ଲାଇନ୍ସ ଗେଟ୍‌କୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଧକ୍କା ଦେଇଥିଲା। କୋହଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୨୫ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀ ଅଛନ୍ତି। ସମ୍ପୃକ୍ତ ସ୍ଥାନରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ସମ୍ପୃକ୍ତ ସ୍ଥାନକୁ ଘେରାଇ ଦେଇଥିବାବେଳେ ଅତିରିକ୍ତ ସୁରକ୍ଷା କର୍ମଚାରୀ ସେହି ଅଞ୍ଚଳରେ ମୁତୟନ କରାଯାଇଛି। ବିସ୍ଫୋରଣ ଯୋଗୁ ନିକଟସ୍ଥ କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ କେଉଁ ସ୍ଥିତିରେ ଘଟିଲା ଓ ଏଥିପାଇଁ କିଏ ଦାୟୀ ସେ ନେଇ କର୍ତ୍ତୃପକ୍ଷ ତନାଘନା କରୁଛନ୍ତି।
Tags: