ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ୨୮.୯%, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆକାଶଛୁଆଁ ମୂଲ୍ୟ

ପାକିସ୍ତାନରେ ଆର୍ଥିକ ସଙ୍କଟ: ଦାରିଦ୍ର୍ୟ ହାର ୨୮.୯%, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆକାଶଛୁଆଁ ମୂଲ୍ୟ
Samaya Live Desk Picture
Published On
ଇସଲାମାବାଦ: ପାକିସ୍ତାନରେ ଏବେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଦେଶର ମୁଦ୍ରାସ୍ଫୀତି, ଆର୍ଥିକ ଅସମାନତା ଏବଂ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି। ପାକିସ୍ତାନ ଅର୍ଥନୈତିକ ସର୍ଭେ ୨୦୨୫-୨୬ରିପୋର୍ଟ ଅନୁଯାୟୀ, ଦେଶରେ ଗରିବୀ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଶିକ୍ଷା କ୍ଷେତ୍ରରେ କରାଯାଉଥିବା ବ୍ୟୟ ବରାଦରେ ବଡ଼ ଧରଣର ହ୍ରାସ ଘଟିଛି, ଯାହା ଦେଶର ଇତିହାସରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି। ସର୍ଭେ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ୨୦୧୮-୧୯ ମସିହାରେ ଦେଶରେ ଜାତୀୟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତ ଥିବା ବେଳେ ୨୦୨୪-୨୫ ବର୍ଷରେ ଏହା ବୃଦ୍ଧି ପାଇ ୨୮.୯ ପ୍ରତିଶତରେ ପହଞ୍ଚିଛି। ଗରିବୀ କେବଳ ଗ୍ରାମାଞ୍ଚଳରେ ସୀମିତ ନରହି ଏବେ ସହରାଞ୍ଚଳରେ ମଧ୍ୟ ବ୍ୟାପିବାରେ ଲାଗିଛି ଏବଂ ଦେଶର ସମସ୍ତ ପ୍ରମୁଖ ପ୍ରଦେଶରେ ସ୍ଥିତି ଅଧିକ ଗମ୍ଭୀର ହୋଇଛି। ଏହି ଆର୍ଥିକ ସଙ୍କଟ ସମାଜର ଗରିବ ଶ୍ରେଣୀକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତି ଯୋଗୁଁ ଯଦି ବିଦେଶରୁ ଆସୁଥିବା ପାଣ୍ଠି ପ୍ରଭାବିତ ହୁଏ, ତେବେ ପାକିସ୍ତାନର ସାଧାରଣ ପରିବାରଗୁଡ଼ିକ ଉପରେ ଆର୍ଥିକ ବୋଝ ଆହୁରି ବଢ଼ିଯିବ।
Tags: