ପଶ୍ଚିମବଙ୍ଗରେ ବିଜେପି ଜିତିଲେ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା, ୬ ମାସରେ ୟୁସିସି
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ମହିଳାମାନଙ୍କୁ ମାସିକ ୩ହଜାର ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା ଅବସରରେ ଏହା କହିଛନ୍ତି। ଶାହ କହିଛନ୍ତି ଯେ, କେବଳ ୩୦୦୦ ଟଙ୍କାର ଆର୍ଥିକ ସହାୟତା ନୁହେଁ ବରଂ ଏହାସହିତ ୬ ମାସ ଭିତରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରାଯିବ। କୋଲକାତାରେ ଏକ କାର୍ଯ୍ୟକ୍ରମରେ ବିଜେପି ସଙ୍କଳ୍ପ ପତ୍ର ଜାରି କରି ଅମିତ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗତ ୧୫ ବର୍ଷର ଶାସନକୁ କଳା ଅଧ୍ୟାୟ ବୋଲି କହିଛନ୍ତି। ଲୋକମାନେ ଏବେ ଭୟଭୀତ ଅଛନ୍ତି ଓ ଶାସନରେ ପରିବର୍ତ୍ତନ ଚାହୁଛନ୍ତି। ବିଜେପିର ସଙ୍କଳ୍ପ ପତ୍ର ସବୁ ବର୍ଗକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଛି ବୋଲି ଅମିତ ଶାହ କହିଛନ୍ତି। ପଶ୍ଚିମବଙ୍ଗରେ ଲୋକମାନେ ଭୟଭୀତ ଓ ନିରାଶ ଅଛନ୍ତି ଏବଂ ହୃଦୟରୁ ପରିବର୍ତ୍ତନ ଚାହୁଛନ୍ତି ବୋଲି ଶାହ କହିଛନ୍ତି। ଏହି ଇସ୍ତାହାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପରିକଳ୍ପିତ ବିକଶିତ ଭାରତ ପାଇଁ ରୋଡମ୍ୟାପ୍। ଅନୁପ୍ରବେଶ, ଗୋ ଚାଲାଣ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରାଯିବ ବୋଲି ଶାହ କହିଛନ୍ତି। ଦଳ ଆଗାମୀ ନିର୍ବାଚନରେ ବିଜୟୀ ହେଲେ ସବୁ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରାଯିବ। ସରକାର କ୍ଷମତାକୁ ଆସିବାର ୪୫ ଦିନ ଭିତରେ ୭ମ ବେତନ କମିସନଙ୍କ ସୁପାରିସ୍ ଲାଗୁ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆୟୁଷ୍ମାନ ଭାରତ ଲାଗୁ କରାଯିବ ବୋଲି କୁହାଯାଇଛି। ଇସ୍ତାହାରକୁ ବିଶ୍ବାସର ପ୍ରତିଶ୍ରୁତି ବୋଲି କହି ଶାହ କହିଛନ୍ତି, ବିଜେପି ବଙ୍ଗଳାର ସାଂସ୍କୃତିକ ପରିଚୟକୁ ପୁନର୍ଜୀବିତ କରିବ ଏବଂ ଏପରି ଏକ ରାଜ୍ୟ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି ଯେଉଁଠାରେ ଲୋକମାନେ ବିନା ଭୟରେ ଗର୍ବର ସହିତ ସମସ୍ତେ ବଞ୍ଚି ପାରିବେ। ସମସ୍ତ ରାଜନୈତିକ ହିଂସାର ତଦନ୍ତ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ ୨୩ ଓ ଏପ୍ରିଲ ୨୯ ତାରିଖରେ ଭୋଟ ଗ୍ରହଣ କରାଯିବ।
Tags:



