ପର୍ବପର୍ବାଣୀ ସମୟରେ ବିମାନ ଭଡ଼ା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

୪ ସପ୍ତାହ ମଧ୍ୟରେ କେନ୍ଦ୍ରଠାରୁ ଜବାବ ମାଗିଲେ

ପର୍ବପର୍ବାଣୀ ସମୟରେ ବିମାନ ଭଡ଼ା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ
Samaya Live Desk Picture
Published On

ନୂଆଦିଲ୍ଲୀ: ପର୍ବପର୍ବାଣୀ ଏବଂ ଛୁଟିଦିନ ଗୁଡ଼ିକରେ ବିମାନ ଭଡ଼ାରେ ହଠାତ୍‌ ବୃଦ୍ଧି ପାଇଁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଉକ୍ତ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତର କହି ସୁପ୍ରିମକୋର୍ଟ କେନ୍ଦ୍ରଠାରୁ ଜବାବ ମାଗିଛନ୍ତି। ବିମାନ ଭଡ଼ାରେ ଅପ୍ରତ୍ୟାଶିତ କମ୍‌-ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ଏକ ନିୟାମକ ନିର୍ଦ୍ଦେଶାବଳି ଦାବି କରି ସୁପ୍ରିମକୋର୍ଟରେ କରାଯାଇଥିବା ପିଆଇଏଲ୍‌ (ଜନସ୍ବାର୍ଥ ଆବେଦନ)ର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ ଏବଂ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହା ଅତ୍ୟନ୍ତ ଗୁୁରୁତର ଏବଂ ଚିନ୍ତାଜନକ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ଉପସ୍ଥିତ ଥିବା ଏଏସ୍‌ଜି (ଅତିରିକ୍ତ ସଲିସିଟର ଜେନେରାଲ୍‌) ଅନୀଲ କୌଶିକ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଏହି ମାମଲାର ସାର୍ବଜନୀକ ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ର ସରକାର ଏବଂ ବିଭାଗମାନେ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ବର ସହ ପରୀକ୍ଷା କରୁଛନ୍ତି। ବିସ୍ତୃତ ଜବାବ ଦେବାପାଇଁ ସେ ଅତିରିକ୍ତ ସମୟ ମାଗିଥିଲେ। ସଳିସିଟର ଜେନେରାଲ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛୁ। ଆମକୁ ଜବାବ ଦେବାପାଇଁ ୪ ସପ୍ତାହ ସମୟ ଆବଶ୍ୟକ। କୋର୍ଟ ଏହି ଅନୁରୋଧକୁ ଗ୍ରହଣ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୩ ତାରିଖରେ ରଖିଛନ୍ତି।

 

Tags: