ନେପାଳରେ ବନ୍ୟାରେ ମୃତ୍ୟୁସଂଖ୍ୟା ୪୭୦, ପୁଣି ଏକ କୃତ୍ରିମ ହ୍ରଦ ଭାଙ୍ଗିବା ଆଶଙ୍କା
କାଠମାଣ୍ଡୁ: ନେପାଳର ଭୋଟକୋଶୀ ଏବଂ ତ୍ରିଶୂଳୀ ନଦୀ ଉପତ୍ୟକାରେ ଚଳିତ ସପ୍ତାହ ଆରମ୍ଭରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୭୦ରେ ପହଞ୍ଚିଥିବା ବେଳେ ପ୍ରାୟ ୧,୪୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ତ୍ରିଶୂଳୀ-୧ ପ୍ରକଳ୍ପର ୬୩ ଜଣ ଶ୍ରମିକ ଏବଂ ତାମିଲନାଡୁର ୨୧ ଜଣଙ୍କୁ ମିଶାଇ ମୋଟ ୮୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ଛୋଚେନ୍ ଖୋଲା ଏବଂ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳ ନିକଟରେ ମାଟି ଓ ପାହାଡ଼ ଜମି ଏକ କୃତ୍ରିମ ପ୍ରତିବନ୍ଧକ ହ୍ରଦ ସୃଷ୍ଟି ହୋଇଥିବାରୁ ଏକ ନୂଆ ବନ୍ୟା ବିପଦ ନେଇ ଚୀନର ଜଳସମ୍ପଦ ମନ୍ତ୍ରଣାଳୟ ଚେତାବନୀ ଜାରି କରିଛି। ଗୁରୁବାର ସକାଳ ସୁଦ୍ଧା ଏହି ହ୍ରଦରେ ପ୍ରାୟ ୨୦ ଲକ୍ଷ କ୍ୟୁବିକ୍ ମିଟର ପାଣି ଜମା ହୋଇସାରିଛି। ଯଦି ଜଳସ୍ତର ବୃଦ୍ଧି ଯୋଗୁଁ ଏହି ପ୍ରାକୃତିକ ବନ୍ଧ ଭାଙ୍ଗିଯାଏ, ତେବେ ତଳିଆ ନେପାଳ ଅଞ୍ଚଳ ଆଡ଼କୁ ପୁଣି ଥରେ ପ୍ରବଳ ବନ୍ୟାଜଳ ମାଡ଼ିଆସି ଦ୍ୱିତୀୟଥର ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାର ଭୟ ଦେଖାଦେଇଛି।
Tags:




