ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗକୁ ୪୮୦ କମ୍ପାନି କେନ୍ଦ୍ରୀୟ ବାହିନୀ ପଠାଇବ ଗୃହ ମନ୍ତ୍ରଣାଳୟ
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ପ୍ରସ୍ତୁତି ଜୋରଦାର ଚାଲିଛି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗକୁ ୪୮୦ କମ୍ପାନି କେନ୍ଦ୍ରୀୟ ବାହିନୀ ପଠାଇବାକୁ ନିଷ୍ପତ୍ତି ନେଇଛି। ଗୃହ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ ତାରିଖରୁ ପଶ୍ଚିମବଙ୍ଗରେ ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିଏସ୍ଏଫ୍, ଆଇଟିବିପି ଓ ଏସ୍ଏସ୍ବିର ୨୪୦ରୁ ଊର୍ଦ୍ଧ୍ବ କମ୍ପାନି ସୁରକ୍ଷାକର୍ମୀ ମୁତୟନ ହେବେ। ବାକି ୨୪୦ କମ୍ପାନି ମାର୍ଚ୍ଚ ୧୦ରେ ମୁତୟନ ହେବେ। ମନ୍ତ୍ରଣାଳୟ ଏ ସମ୍ପର୍କରେ ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ, ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ସୂଚନା ଦେଇଛନ୍ତି। ରାଜ୍ୟରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍)କୁ ନେଇ ଉଗ୍ର ପ୍ରଦର୍ଶନ ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଉପରେ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ ମଧ୍ୟ ଶୁକ୍ରବାର ଏହା ଉପରେ ଚିନ୍ତା ପ୍ରକଟ କରିବା ସହିତ ଡିଜିପି ପିୟୂଷ ପାଣ୍ଡେଙ୍କୁ ହିଂସା ରୋକିବାକୁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ଉପରେ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି।



