ନିଟ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଏନଟିଏ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଟ୍ ୟୁଜି ପ୍ରଶ୍ନପତ୍ର ଲିକକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ପୂର୍ବରୁ ଘଟିଥିବା ବିବାଦ ସମୟରେ ଏକାଧିକ ସଂସ୍କାର ପ୍ରସ୍ତାବ ଦିଆଯାଇଥିଲା। ତଥାପି ୨୦୨୬ରେ ପୁଣି ନିଟ ପ୍ରଶ୍ନପତ୍ର ଲିକ ହେବାକୁ ଘଟଣାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ନିଟ ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ସମାଲୋଚନା କରିବା ସହ ନୋଟିସ ମଧ୍ୟ କରିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ତନଭୀ ଦୁବେ ପ୍ରସଙ୍ଗର ତତ୍କାଳ ଶୁଣାଣିକୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ନିଟ ୟୁଜି ସହ ଜଡ଼ିତ। ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଏହି ପରୀକ୍ଷା ହୋଇଥାଏ। ଏହି ପରୀକ୍ଷାରେ ୨୩ ଲକ୍ଷ ଆଶାୟୀ ଭାଗ ନେଇଥିଲେ। ତେଣୁ କୋର୍ଟ ଏହାକୁ ଗୁରୁତ୍ୱର ଭାବେ ନିଅନ୍ତୁ ଓ ତତ୍କାଳ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରନ୍ତୁ। କିନ୍ତୁ ସର୍ବୋଚ୍ଚ ଅଦାଲତ ତତ୍କାଳ ବିବାଦ ବ୍ୟତୀତ ନିଜର ଧ୍ୟାନ ବିସ୍ତାର କରି ପରୀକ୍ଷା ପ୍ରକ୍ରିୟା ସହ ଜଡ଼ିତ ପୂର୍ବ ଚିନ୍ତା ଓ ସଂସ୍କାର ପାଇଁ ଦିଆଯାଇଥିବା ପ୍ରସ୍ତାବ କଥା ଉଠାଇଛନ୍ତି। ସ୍ଥିତିକୁ ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “ସେମାନେ କୌଣସି ଶିକ୍ଷା ଲାଭ ନ କରିବା ଅତ୍ୟନ୍ତ ଦୁଃଖର ବିଷୟ। ଆମେ ଏହି ପ୍ରସଙ୍ଗରେ ଗୋଟିଏ କମିଟି ଗଠନ କରିଥିଲୁ।” କୋର୍ଟ ପୂର୍ବରୁ ସ୍ଥାପନ ହୋଇଥିବା ମନିଟରିଂ ଓ ସଂସ୍କାର ପ୍ରସ୍ତାବର ଉଲ୍ଲଙ୍ଘନକାରୀଙ୍କ ଉତ୍ତରଦାୟୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ନଭେମ୍ବର ୧୪ରେ ଗଠନ ହୋଇଥିବା କମିଟିର ସ୍ଥିତାବସ୍ତା ସମ୍ପର୍କରେ ଆସନ୍ତା ୩ ଦିନ ମଧ୍ୟରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସୁରକ୍ଷିତ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ବି ସୁପ୍ରିମକୋର୍ଟ କହିଛନ୍ତି। ଉଭୟ ସତ୍ୟପାଠ ୩ ଦିନ ମଧ୍ୟରେ ଦାଖଲ କରାଯିବ।
Tags:



