ନର୍ମଦାରେ ନୌକା ବୁଡ଼ି ୯ ମୃ୍ତ

  ପୁଅକୁ ଛାତିରେ ଜାବୁଡ଼ି ଧରିଥିବା ଅବସ୍ଥାରେ ମା’ର ଶବ ଉଦ୍ଧାର

ନର୍ମଦାରେ ନୌକା ବୁଡ଼ି ୯ ମୃ୍ତ
Samaya Live Desk Picture
Published On

ଜବଲପୁର: ମଧ୍ୟପ୍ରଦେଶର ବରଗୀ ଡ୍ୟାମ୍‌ ନିକଟରେ ଗୁରୁବାର ଘଟିଥିବା ଏକ ଭୟଙ୍କର ନୌକା ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ପ୍ରବଳ ପବନ ଓ ଝଡ଼ ଯୋଗୁଁ ଏକ ପର୍ଯ୍ୟଟକ ନୌକା ନର୍ମଦା ନଦୀରେ ବୁଡ଼ିଯିବା ଫଳରେ  ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୯ଜଣ ନିଖୋଜ ଅଛନ୍ତି। ତେବେ  ଉଦ୍ଧାରକାରୀ ଦଳ ଜଣେ ମହିଳା ଓ ତାଙ୍କର ଚାରି ବର୍ଷର ପୁଅର ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁ ପୂର୍ବରୁ ମା’ ଜଣକ ନିଜ ପୁଅକୁ ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଲଗାଇ ଦେଇଥିବା ଏହି ଚିତ୍ର ସ୍ପଷ୍ଟ କରୁଛି।  ଛାତିରେ ଜାବୁଡ଼ି ଧରିଥିବା ଅବସ୍ଥାରେ ମା’ ପୁଅଙ୍କ ଶବ ମିଳିବା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି।ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଜଣେ ବ୍ୟକ୍ତି ସୟଦ ରିୟାଜ ହୁସେନ୍  କହିଛନ୍ତି  ମାତ୍ର କେଇ ସେକେଣ୍ଡ ମଧ୍ୟରେ ପାଣି ନୌକା ଭିତରକୁ ପଶିଯାଇଥିଲା ଏବଂ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣି ମଧ୍ୟରେ ଫସି ରହିବା ପରେ ଚିତ୍କାର ଶୁଣି ଉଦ୍ଧାରକାରୀ ଦଳ ତାଙ୍କୁ ବଞ୍ଚାଇଥିଲେ। ତେବେ ତାଙ୍କ ପତ୍ନୀ, ଶାଶୁ ଓ ନାତି ଏବେ ବି ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ନୌକାରେ ପ୍ରାୟ ୪୦ରୁ ଅଧିକ ପର୍ଯ୍ୟଟକ ଥିଲେ।  ୨୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ ଜଣ ଶିଶୁଙ୍କ ସମେତ ୯ ଜଣ ଏବେ ବି ନିଖୋଜ ଅଛନ୍ତି। ଏସଡିଆରଏଫ୍ ଓ ସ୍ଥାନୀୟ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।  

Tags: