ଦିଲ୍ଲୀରେ ୟୁଏନଆଇ କାର୍ଯ୍ୟାଳୟ ସିଲ୍
ନୂଆଦିଲ୍ଲୀ: ଦିଲ୍ଲୀର ରଫି ମାର୍ଗ ସ୍ଥିତ ସମ୍ବାଦ ସଂସ୍ଥା ''ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ'' (ୟୁଏନଆଇ) କାର୍ଯ୍ୟାଳୟକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଏକ ଜମି ବିବାଦ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲ୍ୟାଣ୍ଡ ଆଣ୍ଡ୍ ଡେଭଲପମେଣ୍ଟ ଅଫିସ (ଏଲଆଣ୍ଡଡୋ) ଏହି ପଦକ୍ଷେପ ନେଇଛି। ଘଟଣାସ୍ଥଳରେ ଉପସ୍ଥିତ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ୍) ପ୍ରାୟ ୫୦ ଜଣ ସାମ୍ବାଦିକଙ୍କୁ ଜବରଦସ୍ତି କାର୍ଯ୍ୟାଳୟରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଖାଲି କରିବା ସମୟରେ ପୋଲିସ ସେମାନଙ୍କ ସହ ଧସ୍ତାଧସ୍ତି ଓ ଦୁର୍ବ୍ୟବହାର କରିଥିବା ନେଇ ୟୁଏନଆଇ କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି।
ନୂଆଦିଲ୍ଲୀ ଡିସିପି ସଚିନ ଶର୍ମାଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ‘ଏଲଆଣ୍ଡଡୋ’ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପରିସର ଖାଲି କରିବା ପାଇଁ ପୋଲିସ ସେଠାରେ ପହଞ୍ଚିଥିଲା। ଏହି ଜମି ବିବାଦର ଶେଷ ଫଳାଫଳ ସମ୍ପୃକ୍ତ ସରକାରୀ ସଂସ୍ଥା ସପକ୍ଷରେ ଯାଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ସାମ୍ବାଦିକମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ କୌଣସି ପର୍ଯ୍ୟାପ୍ତ ସମୟ ନଦେଇ ପୋଲିସ ବଳପୂର୍ବକ ବାହାର କରିଦେଇଥିଲା, ଯାହା ଗଣମାଧ୍ୟମର ସ୍ୱାଧୀନତା ଉପରେ ଏକ ଆଘାତ ବୋଲି ସେମାନେ ପ୍ରକାଶ କରିଛନ୍ତି।



