ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ୪ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ୧୯ ବର୍ଷୀୟ ଯୁବକ ଶିବମ୍ ଗଣେଶ ସମେତ ୩ ଜଣ ନାବାଳକଙ୍କୁ ପୁଲିସ ଗିରଫ କରିଛି। ଏଥିସହ ଅଭିଯୁକ୍ତମାନଙ୍କଠୁ ଏକ ଗାଡ଼ି ଓ ରକ୍ତଭିଜା ଛୁରୀ ଜବତ କରିଛି। ଗିରଫମାନଙ୍କ ମଧ୍ୟରୁ ଜଣେ ମୃତକଙ୍କ ପରିଚିତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ଏହି ଅପରାଧ ଘଟିଥିବା ସନ୍ଦେହ କରାଯାଉଛି। ରବିବାର ସକାଳେ ସ୍ୱରୂପ ନଗରର କୁଶକ ରୋଡ୍ ନିକଟସ୍ଥ ଏକ ବିଲରେ ସ୍ଥାନୀୟ ଲୋକେ ଗୋଟିଏ କ୍ଷତବିକ୍ଷତ ଶବକୁ କୁକୁର ଖାଉଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ମୃତଦେହଟି ପୂରା ପଚିଯାଇଥିଲା ଏବଂ ଚେହେରା ବିକୃତ ହୋଇଯାଇଥିବାରୁ ପ୍ରଥମେ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ମାତ୍ର ପରବର୍ତ୍ତୀ ସମୟରେ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଏବଂ ଶରୀରରେ ୮ଟି ଗଭୀର ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଶରୀରରୁ ଗୋଟିଏ ହାତ ଗାଏବ ଥିବା ବେଳେ ପେଟ ଓ ମୁହଁ ନଷ୍ଟ ହୋଇଯାଇଥିଲା। ପୁଲିସ୍ ଘଟଣାସ୍ଥଳର ୫୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲେ। ଏକ ସନ୍ଦିଗ୍ଧ ଟେମ୍ପୋର ଗତିବିଧିକୁ ଦେଖିବା ପରେ ଛାନଭିନ୍ କରି ପୁଲିସ ଖାଡ଼ା କୋଲୋନିରୁ ତାହାକୁ ଚିହ୍ନଟ କରିଥିଲା ଓ ରାତିତମାମ ଚଢ଼ଉ କରି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।
Tags:




