ତେଲେଙ୍ଗାନାରେ ବନ୍ଦ ଘରୁ ଦୁଇ ଶିଶୁଙ୍କ ସମେତ ୪ ମୃତଦେହ ଉଦ୍ଧାର
ନାଲଗୋଣ୍ଡା: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘର ଭିତରୁ ଦୁଇ ଜଣ ଶିଶୁଙ୍କ ସମେତ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ପଡ଼ୋଶୀମାନେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଟିମ୍ ତାଲା ପଡ଼ିଥିବା କବାଟ ଭାଙ୍ଗି ଘର ଭିତରୁ ୪ଟି ଗଳିତ ମୃତଦେହ ଉଦ୍ଧାର କରିଥିଲା। ମୃତକମାନେ ହେଲେ ଶେଖ୍ ସୁଲତାନ, ତାଙ୍କ ପତ୍ନୀ ହସିନା ଓ ସେମାନଙ୍କର ଦୁଇ ସନ୍ତାନ ଭାବେ ଚିହ୍ନଟ କରାଯାଇଛି। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ସମସ୍ତେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ପରିବାରର ସମସ୍ତ ସଦସ୍ୟ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥାଇପାରନ୍ତି। ମୃତ ଶେଖ୍ ସୁଲତାନ ନିଜ ପରିବାର ପ୍ରତିପୋଷଣ ପାଇଁ ନାଲଗୋଣ୍ଡାରେ ଏକ ବ୍ୟାଗ୍ ବ୍ୟବସାୟ କରୁଥିଲେ। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ଓ ବିସ୍ତୃତ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ୍ କହିଛି।
Tags:




