ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘ଚଲୋ ଦିଲ୍ଲୀ’ ମାର୍ଚ୍ଚ; ବ୍ୟାଟ୍ମ୍ୟାନ୍ ମାସ୍କ ପିନ୍ଧି ଚର୍ଚ୍ଚାରେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସୋମବାର ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ‘ଚଲୋ ଦିଲ୍ଲୀ-ମାର୍ଚ୍ଚ ଫର୍ ଡେମୋକ୍ରାସି’ ନାମରେ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ରାହୁଲ ଗାନ୍ଧୀ ବ୍ୟାଟ୍ମ୍ୟାନ୍ ମାସ୍କ ଧରି ଫଟୋ ଉଠାଇବା ଘଟଣା ସାମାଜିକ ଗଣମାଧ୍ୟମରେ ଆକର୍ଷଣ ସୃଷ୍ଟି କରିଛି। ଯୁବ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବ୍ୟାଟ୍ମ୍ୟାନ୍ ମାସ୍କ ବଣ୍ଟନ କରିଥିଲେ। ରାହୁଲ ଗାନ୍ଧୀ ଏହି ମାସ୍କ ଧରି ଫଟୋ ଉଠାଇଥିବାବେଳେ ଅନ୍ୟ ଏକ ମୁହୂର୍ତ୍ତରେ ସେ କଂଗ୍ରେସ ସଭାପତି ଖଡ଼ଗେଙ୍କୁ ମାସ୍କ ପିନ୍ଧାଇବାରେ ସହଯୋଗ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସ୍ୟୁଆଇ ଏହି ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା। ଏହା ସହିତ ବ୍ୟଙ୍ଗାତ୍ମକ ଶୀର୍ଷକ ଦେଇ ଦଳୀୟ ପ୍ରଚାରରେ ବ୍ୟାଟ୍ମ୍ୟାନ୍ଙ୍କ ପ୍ରତୀକକୁ ବ୍ୟବହାର କରାଯାଇଥିଲା।
Tags:




