ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ସମାଲୋଚନା
ପୁଣି ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ମୁହଁତୋଡ଼ ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ପୁଣିଥରେ ଭାରତର ଅବିଚ୍ଛେଦ୍ୟ ଅଂଶ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାକୁ କଡ଼ା ସମାଲୋଚନା କରିଛି। ପାକିସ୍ତାନ ବିରୋଧରେ କଡ଼ା ଟିପ୍ପଣୀ ରଖି ଭାରତ କହିଛି ଯେ
ପାକିସ୍ତାନ ଏକ ‘ଫ୍ରାଙ୍କଷ୍ଟିନ୍ ଷ୍ଟେଟ’। ଏହା ନିଜେ ଆତଙ୍କବାଦୀଙ୍କୁ ପାଳୁଛି, ସେମାନଙ୍କୁ ପ୍ରଶିକ୍ଷଣ ଦେଉଛି ଓ ପୁଣି ଯେତେବେଳେ ସେହି ଆତଙ୍କବାଦୀ ତା’ ବିରୋଧରେ ଛିଡ଼ା ହେଉଛନ୍ତି, ସେ ନିଜକୁ ଆତଙ୍କବାଦର ଶିକାର ବୋଲି କହୁଛି। ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ ହିଂସାକାଣ୍ଡ ପାଇଁ ମଧ୍ୟ ପାକିସ୍ତାନକୁ ଘେରିଛି। ଭାରତ କହିଛି ପିଓକେରେ ରୁଟି ମାଗିଲେ ଲୋକମାନଙ୍କୁ ଗୁଳି ଖାଇବାକୁ ପଡ଼ୁଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଅନୁପମା ସିଂହ ଜବାବ ଦେବାର ଅଧିକାର ବ୍ୟବହାର କରି ପାକିସ୍ତାନର ଦାବି ଉପରେ ଜବାବ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା, ରହିଛି ଓ ସର୍ବଦା ରହିବ। ପାକିସ୍ତାନ ଆନ୍ତର୍ଜାତିକ ପ୍ଲାଟଫର୍ମରେ ଲଗାତାର କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରୁଥିବାବେଳେ ଭାରତ ଏଭଳି କଡ଼ା ଟିପ୍ପଣୀ ରଖି ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛି। ଭାରତ ପିଓକେରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନ ଓ ହିଂସା କଥା ମଧ୍ୟ ଉଠାଇଛି। ଅନୁପମା ସିଂହ କହିଛନ୍ତି, ରାୱଲକୋଟ ସମେତ କେତେକ ସ୍ଥାନରେ ଯେଉଁ ସ୍ଥିତି ଉପୁଜିଛି, ତାହା ହଠାତ୍ ଉତ୍ପନ୍ନ ହୋଇନାହିଁ। ସେଠାରେ ଲୋକଙ୍କ ସ୍ବର ଚାପିବାକୁ ଚେଷ୍ଟା କରାଯାଉଛି। ଲୋକଙ୍କୁ ଖାଦ୍ୟ, ବିଦ୍ୟୁତ ଓ ଉନ୍ନତ ଜୀବନମାନ ବଦଳରେ ଗୁଳି ଖାଇବାକୁ ପଡ଼ୁଛି। ପିଓକେରେ ଲୋକଙ୍କ ଜମିଜମା କବ୍ଜା କରିବା, ଜନସଂଖ୍ୟାଗତ ପରିବର୍ତ୍ତନ ଓ ଲୋକଙ୍କୁ ସେମାନଙ୍କ ହକ୍ ନଦେବା ନୀତି ଦୀର୍ଘ ଦିନ ହେଲା ଚାଲିଛି। ଏହି କାରଣରୁ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ନିଜେ ଏହା ସ୍ବୀକାର କରିଛନ୍ତି ଯେ, ତାଙ୍କ ଦେଶ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ଓ ସେମାନଙ୍କୁ ବ୍ୟବହାର କରୁଛିି। ପାକିସ୍ତାନ ଏକ ଫ୍ରାଙ୍କଷ୍ଟିନ ଷ୍ଟେଟ୍। ସେ ନିଜେ ଏମିତି ରାକ୍ଷସ ଛିଡ଼ା କରିଛି, ଯିଏ ଏବେ ତାକୁ କ୍ଷତି ପହଞ୍ଚାଉଛନ୍ତି।
Tags:




