ଗୁରୁବାର ଇସ୍ତଫା ଦେବେ ସିଦ୍ଦରମୈୟା!
ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଗତ କିଛି ମାସ ହେଲା ଲାଗି ରହିଥିବା ବିବାଦ ଶେଷରେ ସମାଧାନ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଶିବକୁମାରଙ୍କ ଦାବିକୁ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ସର୍ବସମ୍ମତିକ୍ରମେ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରାଯିବ। ତେବେ ସିଦ୍ଦରମୈୟା ତାଙ୍କ ନିଷ୍ପତ୍ତି ଜଣାଇବାକୁ ସମୟ ମାଗିଛନ୍ତି। ତଥାପି ଗୁରୁବାର ସେ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କେତେକ ସୂତ୍ର ଅନୁସାରେ କର୍ଣ୍ଣାଟକ ରାଜନୀତି ଉପରେ କଂଗ୍ରେସ ଛଅ ଘଣ୍ଟା ଧରି ମାରାଥନ ବୈଠକ କରିଥିଲା। ଏଥିରେ ରାଜ୍ୟର ତିନୋଟି ରାଜ୍ୟସଭା ଆସନ ବିଷୟରେ ଆଲୋଚନା ହୋଇଥିଲା ଓ ଗଣମାଧ୍ୟମକୁ କୌଣସି ଭୁଲ୍ ଅନୁମାନ ନ କରିବାକୁ ବୈଠକ ପରେ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଥିଲେ। ସିଦ୍ଦରମୈୟା ମଧ୍ୟ ଗୁରୁବାର ଦିନ ଏକ ବୈଠକ ପାଇଁ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ସେହି ବୈଠକରେ ସେ ଇସ୍ତଫା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ସିଦ୍ଦରମୈୟା ଶିବିର ଏକାଧିକ ଉପମୁଖ୍ୟମନ୍ତ୍ରୀ ଫର୍ମୁଲା ପାଇଁ ଚାପ ପକାଉଥିବା ସୂତ୍ରରୁ ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପଦବୀରେ ସିଦ୍ଦରମୈୟାଙ୍କ ନିକଟତମ ସହଯୋଗୀମାନଙ୍କୁ ସ୍ଥାନ ଦିଆଯାଇପାରିବ। କଂଗ୍ରେସର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେୱାଲା ବୁଧବାର ଅପରାହ୍ଣରେ ବେଙ୍ଗାଲୁରୁରେ ପହଞ୍ଚିବେ। ଯଦି ପରିବର୍ତ୍ତନ ଯୋଜନା ଅନୁଯାୟୀ ହୁଏ, ତେବେ ଗୋଟିଏ ସପ୍ତାହ ମଧ୍ୟରେ ନୂତନ ସରକାର ପ୍ରତିଷ୍ଠା ହୋଇପାରେ।
Tags:



