ଗାଜିଆବାଦରେ ପୋଲିସ ଏନକାଉଣ୍ଟର: କିଶୋର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅସଦ୍ ନିହତ
ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ୧୭ ବର୍ଷୀୟ କିଶୋର ସୂର୍ଯ୍ୟ ପ୍ରତାପ ଚୌହାନଙ୍କୁ ଛୁରାମାଡ଼ କରି ହତ୍ୟା କରାଯିବା ଘଟଣାରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅସଦକୁ ଏନକାଉଣ୍ଟର କରିଛି। ଖୋଡ଼ା ଓ ଇନ୍ଦିରାପୁରମ୍ ପୋଲିସ ଟିମ୍ ପକ୍ଷରୁ କରାଯାଇଥିବା ଏକ ମିଳିତ ଅପରେସନ ସମୟରେ ଅଭିଯୁକ୍ତ ପକ୍ଷରୁ ହୋଇଥିବା ଗୁଳିଚାଳନାର ଜବାବରେ ପୋଲିସ ପ୍ରତିଆକ୍ରମଣ କରିଥିଲା। ଯେଉଁଥିରେ ଅସଦ୍ ଗୁରୁତର ଭାବେ ଆହତ ହୋଇଥିଲା। ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏହି ଗୁଳିବିନିମୟ ସମୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ମୋଟ ପାଞ୍ଚ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିବା ବେଳେ ତିନିଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଅସଦ୍ ଫେରାର ଥିବାରୁ ତା’ ନାମରେ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅସଦ୍ ନିଜର ଜଣେ ସହଯୋଗୀ ସହ ମୋଟରସାଇକେଲରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ନାକାବନ୍ଦୀ କରି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏବଂ ପୋଲିସର ପାଲଟା ଜବାବରେ ସେ ନିହତ ହୋଇଛି। ଘଟଣାସ୍ଥଳରୁ ବାଇକ୍ ଓ ବନ୍ଧୁକ ଜବତ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛି, ଯାହାକୁ ଖୋଜିବା ପାଇଁ ପୋଲିସର କମ୍ବିଂ ଅପରେସନ ଜାରି ରହିଛି।
Tags:




