କ୍ରିମିଆରେ ରୁଷର ସାମରିକ ବିମାନ ଦୁର୍ଘଟଣାରେ ୨୯ ମୃତ
ମସ୍କୋ: ଋଷ୍ର ଖବର ଏଜେନ୍ସି ସୂଚନା ଅନୁସାରେ ବୁଧବାର ସକାଳେ କ୍ରିମିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କ୍ରିମିଆରେ ରୁଷିଆନ୍ ସାମରିକ ପରିବହନ ବିମାନ ପାହାଡ଼ରେ ଧକ୍କା ହେବା ପରେ ଖସିପଡ଼ିଛି। ଫଳରେ ଏଥିରେ ଥିବା ସମସ୍ତ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଏଏନ୍-୨୬ ବିମାନଟି କୃଷ୍ଣ ସାଗର ଉପଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଉପଦ୍ବୀପକୁ ୨୦୧୪ ମସିହାରେ ୟୁକ୍ରେନ୍ ଠାରୁ ରୁଷିଆ ନିଜ ନିୟନ୍ତ୍ରଣକୁ ନେଇଥିଲା। ଦୁର୍ଘଟଣାସ୍ଥଳ ଠାବ କରାଯାଇଛି, କିନ୍ତୁ ଅଧିକାରୀମାନେ ଏପର୍ଯ୍ୟନ୍ତ ଦୁର୍ଘଟଣାର ସଠିକ୍ ପରିସ୍ଥିତି ବିଷୟରେ ଅଧିକ ବିବରଣୀ ପ୍ରକାଶ କରିନାହାଁନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯାନ୍ତ୍ରିକ ସମସ୍ୟା ଦୁର୍ଘଟଣାର କାରଣ। ଋଷ ପ୍ରତିରକ୍ଷା ଅଧିକାରୀମାନେ ଏନେଇ କୌଣସି ବିବୃତି ପ୍ରଦାନ କରି ନାହାନ୍ତି। ଏଏନ୍-୨୬ ଏକ ଯୁଗ୍ମ-ଇଞ୍ଜିନ୍ ଟର୍ବୋପ୍ରପ୍ ସାମରିକ ପରିବହନ ବିମାନ। ଏହା ୧୯୬୯ ମସିହାରେ ସୋଭିଏତ୍ ୟୁନିଅନରେ ଡିଜାଇନ୍ କରାଯାଇଥିଲା। ୧୯୭୨ ମସିହାରେ ଏହା ସେବାରେ ପ୍ରବେଶ କରିଥିଲା। ଏଏନ୍-୨୪ର ବିକଶିତ ସଂସ୍କରଣ ଏହି ବିମାନରେ ପଛ ଲୋଡିଂ ରାମ୍ପ ଯୋଡାଯାଇଥିଲା।
Tags:



