କେଜ୍ରିୱାଲ ଦିଲ୍ଲୀର ରେହମାନ ଡକାୟତ: ବିଜେପି

କେଜ୍ରିୱାଲ ଦିଲ୍ଲୀର ରେହମାନ ଡକାୟତ: ବିଜେପି
Samaya Live Desk Picture
Published On

ନୂଆଦିଲ୍ଲୀ: ବିଜେପି ନେତା ତଥା ଦିଲ୍ଲୀ ମନ୍ତ୍ରୀ ପରଭେଶ ବର୍ମା ଶନିବାର ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। କେଜ୍ରିୱାଲଙ୍କୁ ଦିଲ୍ଲୀର ରେହମାନ ଡକାୟତ କହିବା ସହ ସେ ଆଉ ଏକ ଶୀଶ୍‌ ମହଲ ନିର୍ମାଣ କରିଥିବା କହିଛନ୍ତି। କେଜ୍ରିୱାଲଙ୍କ ନୂଆ ବାସଭବନ ଦାବି କରି ବର୍ମା ଘରର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ ଆପ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଏହି ଦୃଶ୍ୟଗୁଡ଼ିକ ପୂରାପୂରି ନକଲି। ବର୍ମା ଓ ଯେଉଁ ଟେଲିଭିଜନ ଚାନେଲ ଏସବୁ ଦୃଶ୍ୟ ଦେଖାଉଛନ୍ତି ସେମାନେ ମାନହାନି ମକଦ୍ଦମା ପାଇଁ ପ୍ରସ୍ତୁତ ରୁହନ୍ତୁ।

ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ମା କହିଛନ୍ତି, କେଜ୍ରିୱାଲ ପୂର୍ବେ ସାଧାରଣ ଜୀବନ ବଞ୍ଚିବେ ବୋଲି କହୁଥିବାବେଳେ ବର୍ତ୍ତମାନ ଆଡ଼ମ୍ବରପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ଦିଲ୍ଲୀର ଭୋଟର ଏହି ରେହମାନ ଡକାୟତଙ୍କୁ ହରାଇ ଦେବା ପରେ ସେ ପଞ୍ଜାବ ଚାଲିଗଲେ। ଏବେ ଭଗବନ୍ତ ମାନ୍‌ ଚିନ୍ତିତ। ବର୍ମା ଆହୁରି ଅଭିଯୋଗ କରିଛନ୍ତି ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ବାସଭବନ ଚାରିପାଖରେ ଥିବା ଅନେକ ସରକାରୀ ବାସସ୍ଥାନ କେଜ୍ରିୱାଲ, ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାଡ଼ି ବସିଛନ୍ତି। ବର୍ମା କହିଛନ୍ତି କେଜ୍ରିୱାଲ ନିକଟରେ ୯୫ ଲୋଧି ଇଷ୍ଟେଟର ସରକାରୀ ବଙ୍ଗଳାକୁ ଯାଇଛନ୍ତି। ସେ ସାଧାରଣ ଲୋକ ପରି ରହିବେ ବୋଲି କହୁଥିଲେ। ମୁଁ ପୂର୍ବ ଶୀଶ୍‌ ମହଲ ଯାଇଥିଲି ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲି କି ଏତେ ଆଡ଼ମ୍ବରପୂର୍ଣ୍ଣ ଘରେ ଲୋକଙ୍କୁ କିପରି ନିଦ ଆସୁଛି। କେଜ୍ରିୱାଲ ପ୍ରଥମେ ସରକାରୀ ବାସଭବନ ନେବେ‌ ନାହିଁ ବୋଲି କହିଥିଲେ ଓ ପରେ ସରକାରୀ ବଙ୍ଗଳା ନେବା ସହିତ ଏହାକୁ ଶୀଶ୍‌ ମହଲ‌ରେ ପରିଣତ କରିଥିଲେ ବୋଲି ବର୍ମା ଅଭିଯୋଗ କରିଥିଲେ।  

Tags: