କୁଲଗାମରେ ସୁରକ୍ଷା ବାହିନୀର ବଡ଼ ସଫଳତା: ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିହତ

କୁଲଗାମରେ ସୁରକ୍ଷା ବାହିନୀର ବଡ଼ ସଫଳତା: ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିହତ
Samaya Live Desk Picture
Published On
ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟ ୱାଣ୍ଟେଡ୍‌ କମାଣ୍ଡରଙ୍କ ସମେତ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଲସ୍କର କମାଣ୍ଡର ମହମ୍ମଦ ଲତିଫ୍‌ ଭଟ୍ଟ ବୋଲି ଜଣାପଡ଼ିଛି। ଗତ ୧୧ ନଭେମ୍ବରରେ କୁଲଗାମରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ଅଭିଯାନରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଉଛି। ଦକ୍ଷିଣ କଶ୍ମୀରର କୁଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିବା ବେଳେ ଏହି ସଂଘର୍ଷ ଘଟିଥିଲା। ନିହତ ଲତିଫ୍‌ ଭଟ୍ଟ ଏକାଧିକ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ଥିବା ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଥିଲେ। ତାଙ୍କ ସମ୍ପର୍କରେ ସୂଚନା ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ନଭେମ୍ବର ୧୧ ତାରିଖରେ କୁଲଗାମର ଅଖରାନ୍‌ ଅଞ୍ଚଳରେ ସିଆର୍‌ପିଏଫ୍‌ର ୪୬ତମ ବାଟାଲିୟନର ଏକ ଚେକ୍‌ପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ତିନିଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିଲେ। ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ କୁଲଗାମ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଘଟଣାର ତଦନ୍ତରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଧ୍ୟ ସାମିଲ ହୋଇଥିଲା। ଆକ୍ରମଣ ପଛରେ ଥିବା ଅନ୍ୟ ସହଯୋଗୀ ଏବଂ ସ୍ଥାନୀୟ ସମର୍ଥକଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ସୁରକ୍ଷା ବାହିନୀ ପକ୍ଷରୁ ଅଞ୍ଚଳରେ ସତର୍କତା ଓ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
Tags: