ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ

ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ
Samaya Live News Picture
Published On

କୋଲକତା :  ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ । ବିମାନଟି କୋଲକତାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିବାକୁ ଥିବାବେଳେ ଅପହରଣ ଧମକ ମିଳିଥିଲା । ଆଜି (ନଭେମ୍ବର ୧୧, ୨୦୨୬) ସକାଳେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି । ଏହାପରେ ବିମାନବନ୍ଦରରେ  ଚାଞ୍ଚଲ୍ୟ ଖେଳିଯାଇଥିଲା  ।  

ଆଜି ସକାଳ ୧୦ଟା ୨୦ ମିନିଟରେ ଏୟାର ଇଣ୍ଡିଆ ବିମାନ AI 772 କୋଲକାତାରୁ ମୁମ୍ବାଇ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା ।  ଉଡ଼ାଣର ଠିକ୍ ପୂର୍ବରୁ ବିମାନର ୱାଶରୁମ୍ (ଶୌଚାଳୟ) ଭିତରୁ ବିମାନକୁ ଅପହରଣ କରିବା ନେଇ ଏକ ଧମକପୂର୍ଣ ଚିଠି ମିଳିଥିଲା ।  ଏହି ସମୟରେ ବିମାନରେ ୯୩ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ରହିଥିଲେ । ଏଥିରେ ସକାଳ ୧୧ଟା ୧୦ ମିନିଟରେ ବିମାନଟିକୁ ଅପହରଣ କରାଯିବ ବୋଲି ଲେଖାଯାଇଥିଲା । ଏନେଇ କୋଲକାତା ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ ସୂଚନା ଦେଇଛନ୍ତି । ବିମାନକୁ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଉଡ଼ାଣ ଭରିବାର ଠିକ୍ ପୂର୍ବରୁ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC)କୁ ହାଇଜାକ୍ ସମ୍ପର୍କିତ ଆଲର୍ଟ ଦେଇଥିଲେ । ଏହାପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ବିମାନଟିକୁ  ତୁରନ୍ତ ଆଇସୋଲେସନ୍ ବେ କୁ ନିଆଯାଇଥିଲା। ଧମକ ମିଳିବା ପରେ SOP ଅନୁଯାୟୀ ବିମାନର ଯାଞ୍ଚ କରାଯାଉଛି ।  ଘଟଣା ସ୍ଥଳରେ ସୁରକ୍ଷା ଏଜେନ୍ସୀ ସହିତ ଅଗ୍ନିଶମ ଟିମ୍ ଏବଂ ବୋମା ନିଷ୍କ୍ରିୟ ଟିମ୍ ଯାଞ୍ଚ ପାଇଁ ରହିଛନ୍ତି । ଏଥିସହ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ତାଲିକା ଏବଂ ବିମାନବନ୍ଦର ପରିସର ସହ ବିମାନ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।

Tags: