ଏହା ଅନୈତିକ ବିଜୟ ଓ ଲୁଟ୍ : ମମତା
କୋଲକାତା : ପଶ୍ଚିମବଙ୍ଗରେ ଦୀର୍ଘ ୧୫ ବର୍ଷର ଟିଏମ୍ସି ଶାସନ ଗାଦି ଭୁଶୁଡ଼ି ପଡ଼ିଛି। ମମତା ବାନାର୍ଜୀଙ୍କଠାରୁ ବିଜେପି ବଙ୍ଗଳା ଛଡ଼ାଇ ନେଇଛି। ଖାଲି ସେତିକି ନୁହେଁ ନିଜେ ମମତା ବାନାର୍ଜୀ ଭବାନୀପୁର ଆସନ ହରାଇ ଦେଇଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ସେ ୧୫,୧୦୫ ଭୋଟ୍ ବ୍ୟବଧାନରେ ହାରି ଯାଇଛନ୍ତି। ଗଣତି କେନ୍ଦ୍ର ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ୧୦୦ ରୁ ଅଧିକ ଆସନ ଲୁଟିଛି। ଏହା ଏକ ‘ଅନୈତିକ’ ଏବଂ ‘ଅବୈଧ’ ବିଜୟ। ବିଜେପି ୧୦୦ ରୁ ଅଧିକ ଆସନ ଲୁଟ କରିଛି। ନିର୍ବାଚନ କମିସନ ବିଜେପିର କମିସନ ବୋଲି ମମତା ଅଭିଯୋଗ କରିଛନ୍ତି।
ମମତା କହିଛନ୍ତି, ଆପଣ କ’ଣ ଭାବୁଛନ୍ତି ଏହା ଏକ ବିଜୟ? ଏହା ଏକ ଅନୈତିକ ବିଜୟ, ନୈତିକ ବିଜୟ ନୁହେଁ। ନିର୍ବାଚନ କମିସନ କେନ୍ଦ୍ରୀୟ ବାହିନୀ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ଯାହା କରିଛନ୍ତି, ତାହା ସମ୍ପୂର୍ଣ୍ଣ ବେଆଇନ। ଏହା ଲୁଟ୍, ଲୁଟ୍, ଲୁଟ୍। ଆମେ ପୁନର୍ବାର ଫେରିବୁ ବୋଲି ମମତା ଦୃଢ଼ୋକ୍ତି ବାଢ଼ିଛନ୍ତି।




