ଇରାନରେ ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା !
ତେହେରାନ: ଇରାନରେ ଇସଲାମିକ ଶାସନ ବିରୋଧରେ ଚାଲିଥିବା ପ୍ରତିବାଦ ଭୟଙ୍କର ହିଂସାର ରୂପ ନେଇଛି । ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ଜଣାପଡ଼ିଛି । ତେହେରାନର ଜଣେ ଡାକ୍ତର କହିଛନ୍ତି, ରାଜଧାନୀ ତେହେରାନର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏହି ପ୍ରତିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ଯଦି ଏହି ମୃତ୍ୟୁ ସଂଖ୍ୟା ଠିକ୍ ହୋଇଥାଏ, ତେବେ ଏହା ଇରାନରେ ସରକାର ବିରୋଧୀ ପ୍ରତିବାଦର ଏକ ନିର୍ମମ ଦମନକୁ ସୂଚିତ କରୁଛି । ବିରୋଧ ଆରମ୍ଭ ହେବା ପରଠାରୁ ସରକାର ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ସଂଯୋଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଡିସେମ୍ବର ୨୮ ତାରିଖରେ ଆର୍ଥିକ ସଙ୍କଟର ପ୍ରତିବାଦ କରି ଏହା ଆରମ୍ଭ ହୋଇଥିଲା । ଏବେ ଏହା ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପିଛି । ଲୋକେ ରାସ୍ତାକୁ ଓହ୍ଲାଇ ଇସଲାମିକ ଶାସନକୁ କ୍ଷମତାରୁ ହଟାଇବାକୁ ଦାବି କରୁଛନ୍ତି। ପ୍ରତିବାଦକାରୀମାନେ ‘ସ୍ୱାଧୀନତା’ ଏବଂ ‘ଏକଛତ୍ରବାଦୀ ମୁର୍ଦାବାଦ’ ସ୍ଲୋଗାନ ଦେଉଛନ୍ତି ।



