ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ
ଇସଲାମବାଦ୍: ପାକିସ୍ତାନର କାରାଗାରରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଅବନତି ହେବାରୁ ସେ ଜୀବିତ ରହିବା ନେଇ ଗମ୍ଭୀର ଆଶଙ୍କା ପ୍ରକାଶ କରିଛନ୍ତି ତାଙ୍କ ପୁଅମାନେ। ଏକ ଅନଲାଇନ୍ ପ୍ରେସ୍ କନଫରେନ୍ସରେ ଇମ୍ରାନଙ୍କ ପୁଅ ସୁଲେମାନ ଓ କାସିମ ଖାନ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅବମାନନା କରିଛନ୍ତି। ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇବା ଏବଂ ପରିବାର ସହ ନିୟମିତ ଭେଟଘାଟ ପାଇଁ ଅନୁମତି ଦେଇଥିଲେ ମଧ୍ୟ ସରକାର ତାହା କାର୍ଯ୍ୟକାରୀ କରିନାହାନ୍ତି। ୭୩ ବର୍ଷୀୟ ଇମ୍ରାନଙ୍କୁ ଏକାନ୍ତ କୋଠରୀରେ ରଖାଯାଇଥିବାବେଳେ ତାଙ୍କ ଆଇନଜୀବୀ ଜାରେଡ୍ ଗେନସର୍ ଏହି ଜେଲ୍ ପରିସ୍ଥିତିକୁ ‘ଧୀରେ ଧୀରେ ହତ୍ୟା’ ବୋଲି ଅଭିଯୋଗ କରିଛନ୍ତି। ୧.୮ ମିଟର ଓ ୨.୪ ମିଟର ଆକାରର ଏକ କୋଠରୀରେ ତାଙ୍କୁ ପ୍ରାକୃତିକ ଆଲୋକ ବିନା ରଖାଯାଉଛି। ଆଖି ସମସ୍ୟା ସମେତ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କର୍ତ୍ତୃପକ୍ଷ ସେଠାକୁ ଏକ ଡମି କନଭଏ ପଠାଇ ତାଙ୍କୁ ଗୋପନୀୟ ଭାବେ ଏକ ସରକାରୀ ହସ୍ପିଟାଲକୁ ନେଇଥିଲେ ଏବଂ ସେ ସୁସ୍ଥ ଥିବା ଦର୍ଶାଇଥିଲେ। ତେବେ ପରିବାର ଏବଂ ଆଇନଜୀବୀ ଏହି ସରକାରୀ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ସରକାର ଇମ୍ରାନଙ୍କୁ ଏକାନ୍ତ କୋଠରୀରେ ରଖାଯାଇ ନଥିବା କିମ୍ବା ପରିବାର ସହ ଭେଟଘାଟରେ କଟକଣା ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ସ୍ତ୍ରୀ ବୁଶ୍ରା ବିବି ଏବଂ ଭଉଣୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା ବୋଲି କୁହାଯାଇଛି। ମାତ୍ର ଇମ୍ରାନଙ୍କ ପୁଅମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦିଆଯାଉନାହିଁ ଏବଂ ସେମାନେ ଶେଷଥର ପାଇଁ ୨୦୨୨ ନଭେମ୍ବରରେ ତାଙ୍କୁ ଦେଖିଥିଲେ।
Tags:




