ଇଞ୍ଜିନ୍ ଖରାପ ଯୋଗୁଁ ଚେନ୍ନାଇରେ ବିମାନର ଜରୁରୀକାଳୀନ ଅବତରଣ
ଚେନ୍ନାଇ: ଭିଏତନାମର ହୋ ଚି ମିନ୍ ସିଟିରୁ ଶ୍ରୀଲଙ୍କାର କଲମ୍ବୋ ଯାଉଥିବା ଏକ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ବିମାନର ଗୋଟିଏ ଇଞ୍ଜିନ୍ କାମ କରିବା ବନ୍ଦ କରିଦେବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚେନ୍ନାଇ ବିମାନବନ୍ଦରରେ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ୧୪୩ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହେବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଏବଂ ଏୟାରପୋର୍ଟ ଏମର୍ଜେନ୍ସି ପ୍ଲାନ୍ ଅନୁଯାୟୀ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା। ରାତି ପ୍ରାୟ ୧୧ଟା ସମୟରେ ଏୟାରବସ୍ ଏ୩୨୦ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ରାତି ୧୧ଟା ୩୫ ମିନିଟରେ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରାଯାଇଥିଲା ଏବଂ ବିମାନବନ୍ଦରର ସ୍ୱାଭାବିକ କାର୍ଯ୍ୟଚାଲୁ ରହିଥିଲା। ପରବର୍ତ୍ତୀ ସମୟରେ ବିମାନ ସଂସ୍ଥା ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇ ଯାତ୍ରୀମାନଙ୍କୁ କଲମ୍ବୋ ପଠାଯାଇଛି।
Tags:




