ଆଫଗାନ୍ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍
ଇସଲାମାବାଦ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ସଂଘର୍ଷ ଏବେ ଭୟଙ୍କର ରୂପ ନେଇଛି। ଆଫଗାନିସ୍ତାନ ପକ୍ଷରୁ ୮ଟି ଡ୍ରୋନ୍ ଆକ୍ରମଣ ଓ ଗୋଳାବାରୁଦ ବର୍ଷା କରାଯିବା ପରେ, ଗୁରୁବାର ସକାଳୁ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନ ଭିତରେ ପଶି ୧୦ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି। ଆଫଗାନିସ୍ତାନର ତାଲିବାନ ସରକାର ନିଜ ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ନିଜେ ସୀମାନ୍ତରେ ଡ୍ରୋନ୍ ଏବଂ ମୋର୍ଟାର୍ ମାଡ଼ କରି ସ୍ଥିତିକୁ ବିଗାଡ଼ିଛନ୍ତି। ଏହାର ଜବାବରେ ପାକିସ୍ତାନୀ ସେନା ସୀମାପାର୍ ସାମରିକ ଆଡ୍ଡାଗୁଡ଼ିକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରିଛି। ତେବେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ପାକିସ୍ତାନ ଉପରେ କୌଣସି ଡ୍ରୋନ୍ ଆକ୍ରମଣ କରାଯାଇଥିବା କଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ସୋମବାର ମଧ୍ୟ ପାକିସ୍ତାନ ଜେଟ୍ ବିମାନ ପୂର୍ବ ଆଫଗାନିସ୍ତାନରେ ଆକ୍ରମଣ କରିଥିଲା, ଯେଉଁଥିରେ ୨୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ପାକିସ୍ତାନ ଦାବି କରିଥିଲା। ଏହି ଘଟଣା ପରେ ଚୀନ୍, ତୁର୍କୀ, କାତାର ଓ ସାଉଦି ଆରବ ପକ୍ଷରୁ ଚାଲିଥିବା ଶାନ୍ତି ଆଲୋଚନା ପ୍ରକ୍ରିୟା ଏବେ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
Tags:




