ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ଯୁଦ୍ଧ ଘୋଷଣା; ଏଫ୍‌-୧୬ ଯୁଦ୍ଧ ବିମାନ ଖସେଇଲା ଆଫଗାନିସ୍ତାନ

ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ଯୁଦ୍ଧ ଘୋଷଣା; ଏଫ୍‌-୧୬ ଯୁଦ୍ଧ ବିମାନ ଖସେଇଲା ଆଫଗାନିସ୍ତାନ
ଇସଲାମାବାଦ: ଆଫଗାନିସ୍ତାନ ବିପକ୍ଷରେ ଯୁଦ୍ଧ ଘୋଷଣା କରିଛି ପାକିସ୍ତାନ। ପାକିସ୍ତାନର ଆକ୍ରମଣର ଜବାବରେ ଆଫଗାନିସ୍ତାନ ଗୁରୁବାର ବିଳମ୍ବିତ ରାତିରେ ଡୁରାଣ୍ଡ ଲାଇନରେ ୫୫ ସୈନିକଙ୍କୁ ମାରିବା ସହିତ ପାକିସ୍ତାନର ୧୯ରୁ ଅଧିକ ପୋଷ୍ଟ ଓ ୨ ସାମରିକ ଘାଟିକୁ ଧ୍ବଂସ କରିଦେଇଛି। ଏଥିସହ ଆଫଗାନ୍‌ ବାୟୁସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଲଢ଼ୁଆ ଯୁଦ୍ଧବିମାନ ଏଫ୍‌-୧୬କୁ ଗୁଳି କରି ଖସେଇ ଦେବା ସହିତ ପାକିସ୍ତାନର ଜଣେ ସୈନିକକୁ କାବୁ କରାଯାଇଛି। ଏହାର ଜବାବରେ ପାକିସ୍ତାନ ‘ଅପରେସନ ଗଜବ-ଲିଲ-ହକ୍‌’ ଆରମ୍ଭ କରି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି। ଯେଉଁଥିରେ ୧୩୦ରୁ ଅଧିକ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ଏପରିକି ତାଲିବାନ ଭାରତ ପାଇଁ ‘ପ୍ରକ୍ସି’ ଭାବେ କାମ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ତାଲିବାନ ୨୦୨୧ରେ କ୍ଷମତାକୁ ଆସିବା ପରଠାରୁ ଦୁଇ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗତବର୍ଷ ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ତାଲିବାନ ତେହରିକ୍‌-ଇ- ତାଲିବାନ (ଟିଟିପି) ମାଧ୍ୟମରେ ପାକିସ୍ତାନରେ ଆତଙ୍କବାଦ ଚଳାଇଛି ବୋଲି ପାକିସ୍ତାନ ଅଭିଯୋଗ କରୁଛି। ଅନ୍ୟପକ୍ଷରେ ପାକିସ୍ତାନର ଅଭିଯୋଗକୁ ଆଫଗାନିସ୍ତାନ ଖଣ୍ଡନ କରିବା ସହିତ ଏହି ପଡ଼ୋଶୀ ଦେଶ ଆମର ସାର୍ବଭୌମତ୍ବକୁ ଅଣଦେଖା କରୁଛି ବୋଲି ଆଫଗାନିସ୍ତାନ ଅଭିଯୋଗ କରିଛି।
Tags: