ଆଇସିସି ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେଲେ ଜୟ ଶାହ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ସୋମବାର ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ତାଙ୍କ ପୁନଃନିଯୁକ୍ତି ନେଇ ଘୋଷଣା କରାଯାଇଛି। ବିଶ୍ୱ କ୍ରିକେଟ୍ର ପରିଚାଳନା ଓ ବିକାଶ କ୍ଷେତ୍ରରେ ଜୟ ଶାହଙ୍କ ନେତୃତ୍ୱ ଉପରେ ବୋର୍ଡ ସଦସ୍ୟମାନଙ୍କ ଆସ୍ଥା ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି। ୨୦୨୪ ଅଗଷ୍ଟ ୨୭ ତାରିଖରେ ପ୍ରଥମ ଥର ପାଇଁ ସେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେହିବର୍ଷ ଡିସେମ୍ବର ୧ ତାରିଖରେ ଗ୍ରେଗ୍ ବାର୍କଲେଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ୩୬ ବର୍ଷ ବୟସରେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ ଜୟ ଶାହ। ତାଙ୍କ ନାମକୁ ଆଇସିସି ନିର୍ଦ୍ଦେଶକମାନେ ପୁନଃନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ। ଇଂଲଣ୍ଡ, ଜିମ୍ବାୱେ, ନ୍ୟୁଜିଲାଣ୍ଡ ଓ ଆସୋସିଏଟ୍ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ତାଙ୍କ ନେତୃତ୍ୱକୁ ସମର୍ଥନ କରିଥିଲେ। ପୁନଃନିଯୁକ୍ତି ପରେ ଜୟ ଶାହ ଆଇସିସି ବୋର୍ଡର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟ୍କୁ ବିଶ୍ୱବ୍ୟାପୀ ଅଧିକ ଲୋକପ୍ରିୟ କରିବା ସହ ଖେଳର ଦୀର୍ଘସ୍ଥାୟୀ ବିକାଶ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ମହିଳା କ୍ରିକେଟ୍ର ବିକାଶ, ଆସୋସିଏଟ୍ ଦେଶଗୁଡ଼ିକୁ ଅଧିକ ସୁଯୋଗ ପ୍ରଦାନ, ଆନ୍ତର୍ଜାତିକ କ୍ରିକେଟ୍ର ସ୍ୱଚ୍ଛତା ଓ ନୂଆ ବଜାର ସୃଷ୍ଟି ତାଙ୍କ ପ୍ରାଥମିକତା ରହିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।
Tags:




