ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ

ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ
Samaya Live Desk Picture
Published On
ଇଟାନଗର: ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବୁଧବାର ସକାଳେ କେୟି ପାନିୟୋର୍ ଜିଲ୍ଲାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଅତି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୮ଟି ଆବାସିକ ଗୃହ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହା ସହିତ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ଶତାଧିକ ଯାତ୍ରୀ ଅଧା ବାଟରେ ଫସି ରହିଛନ୍ତି। ସୂଚନା ଅନୁସାରେ ୟାଜାଲି ସର୍କଲ ଅନ୍ତର୍ଗତ ପୁସା ନିକଟରେ ଥିବା ନିପକୋ ପ୍ରୋଜେକ୍ଟ କଲୋନୀରେ ଏହି ଆକସ୍ମିକ ବନ୍ୟା ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ସେଠାରେ ନିର୍ମାଣାଧୀନ ଏକ ସୁରକ୍ଷା ପ୍ରାଚୀର ଭାଙ୍ଗିଯିବାରୁ ପ୍ରକଳ୍ପ କଲୋନୀ ଓ ଏହାର ଆଖପାଖ ତଳିଆ ଅଞ୍ଚଳରେ ବନ୍ୟା ଜଳ ମାଡ଼ି ଯାଇଥିଲା। ଏହି କାରଣରୁ କଲୋନୀରୁ ୩ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅତିରିକ୍ତ ଡେପୁଟି କମିଶନର, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଓ ସର୍କଲ ଅଫିସରଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏସଡିଆରଏଫ୍ ର ଏକ ଟିମକୁ ମୁତୟନ କରାଯାଇଥିବା ବେଳେ ଏନଡିଆରଏଫ୍ କୁ ମଧ୍ୟ ଆଲର୍ଟ କରାଯାଇ ଘଟଣାସ୍ଥଳକୁ ପଠାଯାଉଛି।
Tags: