ଦୁଷ୍କର୍ମ ମାମଲା ନେଇ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ବାର୍ତ୍ତା
ଅପରଧୀ ମନରେ ଭୟ ସୃଷ୍ଟି କରିବାକୁ ପଡ଼ିବ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦୁଷ୍କର୍ମ ମାମଲାରେ ଏକ ଗୁୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଯୌନ ଅପରାଧ ପ୍ରବଣ ଅସାମାଜିକ ତତ୍ତ୍ୱମାନଙ୍କ ମନରେ ଏପରି ଭୟ ସୃଷ୍ଟି ହେବା ଦରକାର ଯେ ସେମାନେ ଅପରାଧ କଲେ ଗୁରୁତର ପରିଣାମ ଭୋଗିବେ। ଅଦାଲତ ଦିଲ୍ଲୀ ପୋଲିସକୁ ପ୍ରଥମେ ସେହି କଲେଜଗୁଡ଼ିକ ଉପରେ ଧ୍ୟାନ ଦେବାକୁ କହିଛନ୍ତି, ଯେଉଁଠାରେ ‘ଗୁଣ୍ଡା ପ୍ରକୃତିର ଲୋକ’ ଛାତ୍ରୀମାନଙ୍କୁ ନିୟମିତ ଭାବେ ହଇରାଣ କରୁଛନ୍ତି। ଏହା ପରେ ଦିଲ୍ଲୀରେ ଥିବା ହଜାର ହଜାର ବେଆଇନ ଖାଦ୍ୟ ଦୋକାନ ଓ ଢାବା ଉପରେ ଧ୍ୟାନ ଦେବାକୁ କହିଛନ୍ତି, ଯେଉଁଠାରେ ଅସାମାଜିକ ତତ୍ତ୍ୱମାନେ ଏକାଠି ହୁଅନ୍ତି ଏବଂ ମଦ୍ୟପାନ କରନ୍ତି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସମ୍ପ୍ରତି ରିପୋର୍ଟ ହୋଇଥିବା ଦୁଷ୍କର୍ମ ମାମଲାଗୁଡ଼ିକୁ ନେଇ ସୁପ୍ରିମ୍ କୋର୍ଟ ନିଜ ଆଡ଼ୁ ମାମଲା ଗ୍ରହଣ କରି ଶୁଣାଣି କରୁଛନ୍ତି। ଏଥିରେ ଏକ ସ୍ଲିପର୍ ବସ୍ରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ମାମଲା ମଧ୍ୟ ରହିଛି। ଅଦାଲତ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପୋଲିସ ଅସାମାଜିକ ତତ୍ତ୍ୱମାନଙ୍କ ମନରେ ଏହି ଭୟ ସୃଷ୍ଟି ନକରିବ ଯେ ଯୌନ ଅପରାଧ କଲେ ସେମାନଙ୍କୁ ନିଶ୍ଚିତ ଭାବେ ମୃତ୍ୟୁ କିମ୍ବା ଅତ୍ୟନ୍ତ କଠୋର ପରିଣାମର ସାମ୍ନା କରିବାକୁ ପଡ଼ିପାରେ ସେପର୍ଯ୍ୟନ୍ତ ଏପରି ଅପରାଧ ରୋକିବା କଷ୍ଟକର ହେବ। ସୁପ୍ରିମ୍ କୋର୍ଟ କହିଛନ୍ତି, ‘ଯେପର୍ଯ୍ୟନ୍ତ ଆପଣ ଅସାମାଜିକ ତତ୍ତ୍ୱମାନଙ୍କ ମନରେ ଏହି ଭୟ ସୃଷ୍ଟି ନକରିବେ ଯେ ସେପର୍ଯ୍ୟନ୍ତ ଆପଣ ଏପରି ଅପରାଧକୁ ରୋକିପାରିବେ ନାହିଁ। ଦକ୍ଷିଣ ଦିଲ୍ଲୀର ଏକ ପାର୍କରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଉଲ୍ଲେଖ କରି ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଥିଲେ ଯେ ଏପରି ଘଟଣା ରୋକିବା ପାଇଁ ପୂର୍ବରୁ କେଉଁ ପଦକ୍ଷେପ ନିଆଯାଇଥିଲା। ଜଷ୍ଟିସ୍ ଜେ.ବି. ପାର୍ଦିୱାଲାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ ଯେ ଏହି ଦୁଃଖଦ ଘଟଣାରେ ମଧ୍ୟ ଲୋକମାନେ ପୂର୍ବରୁ ଅଭିଯୁକ୍ତମାନଙ୍କ ବିଷୟରେ ପୋଲିସକୁ ସତର୍କ କରିଥିବା କୁହାଯାଇଛି। ଜଷ୍ଟିସ୍ ପାର୍ଦିୱାଲା କହିଥିଲେ, ଏପରି ଅପରାଧକୁ କିପରି ରୋକିବେ। ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଏପରି ଅପରାଧ ବନ୍ଦ ହେଉ। ଆମେ ମିଳିତ ଭାବେ କାମ କଲେ ପରିବର୍ତ୍ତନ ଆଣିପାରିବା ।ଏହି ସମସ୍ୟାର ମୁକାବିଲା ପାଇଁ ଜାତୀୟ ରାଜଧାନୀରେ ଏକ ‘ୱାର୍ ରୁମ୍’ ଗଠନ କରିବା ସମ୍ପର୍କରେ ମଧ୍ୟ ଅଦାଲତ ପୋଲିସଠାରୁ ତଥ୍ୟ ମାଗିଥିଲେ। ସୁପ୍ରିମ୍ କୋର୍ଟର ଏକ ପରାମର୍ଶ ଥିଲା ଯେ ଯୌନ ଅପରାଧୀମାନଙ୍କ ଜାତୀୟ ଡାଟାବେସ୍ରୁ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ ଓ ଟ୍ରାକ୍ କରାଯାଉ। ଅଦାଲତ କହିଛନ୍ତି, ଆମେ ଆପଣମାନଙ୍କୁ ଜୋର ଦେଇ କହୁଛୁ, ସମସ୍ତ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଏପରି ହେବା ଉଚିତ ନୁହେଁ ଯେ ଆଗାମୀ ଚାରି ସପ୍ତାହ ମଧ୍ୟରେ ଆହୁରି ଏପରି ଘଟଣା ଘଟିବ। କଲେଜଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ସେଠାରେ କିଛି ଗୁଣ୍ଡା ପ୍ରକୃତିର ଲୋକ ଛାତ୍ରୀମାନଙ୍କୁ ହଇରାଣ କରୁଛନ୍ତି। ଆମକୁ କୁହାଯାଇଛି ଯେ ଦିଲ୍ଲୀରେ ହଜାର ହଜାର ଅନଧିକୃତ ଖାଦ୍ୟ ଦୋକାନ ରହିଛି ଏବଂ ସେଠାରେ ଅସାମାଜିକ ତତ୍ତ୍ୱମାନେ ଏକାଠି ହୁଅନ୍ତି। ଏପରି ସ୍ଥାନରେ ମଦ୍ୟପାନ ମଧ୍ୟ ହେଉଛି । ଜଷ୍ଟିସ୍ ପାର୍ଦିୱାଲା ୨୦୧୨ ମସିହାର ନିର୍ଭୟା ମାମଲାକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ ସେହି ଘଟଣାର ଦୋଷୀମାନେ ମଧ୍ୟ ଅପରାଧ କରିବା ପୂର୍ବରୁ ମଦ୍ୟପାନ କରିଥିଲେ। ସୁପ୍ରିମ୍ କୋର୍ଟ ଦିଲ୍ଲୀ ପୋଲିସକୁ ଏହି ପ୍ରସଙ୍ଗରେ କଠୋର ଓ ଦୃଢ଼ ପଦକ୍ଷେପ ନେବାକୁ ଦ୍ୱିଧା ନକରିବାକୁ କହିଛନ୍ତି। ଲୋକଙ୍କ ପକ୍ଷରୁ ପ୍ରତିବାଦ ହେଲେ ମଧ୍ୟ ଯୌନ ଅପରାଧ ରୋକିବା ପାଇଁ ପୋଲିସ ନିଜ କର୍ତ୍ତବ୍ୟ କରିବା ଉଚିତ ବୋଲି ଅଦାଲତ କହିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ‘ଆମକୁ ଯୁବତୀ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ଏହା କରିବାକୁ ହେବ।




