ମହାୟୁତି ମେଣ୍ଟ ଉପରେ ବର୍ଷିଲେ ଉଦ୍ଧବ-ରାଜ୍ ଠାକରେ
ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ତାଙ୍କ ସମ୍ପର୍କୀୟ ଭାଇ, ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନ୍ଏସ) ଅଧ୍ୟକ୍ଷ ରାଜ ଠାକ୍ରେ ରବିବାର ଆଗାମୀ ମୁମ୍ବାଇ ମହାନଗର ନିଗମ ନିର୍ବାଚନ ପାଇଁ ସେମାନଙ୍କର ମେଣ୍ଟ ଇସ୍ତାହାର ଜାରି କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସମୟରେ ଏକାଠି ହୋଇଥିବା ୨ ଭାଇ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଶାସକ ମହାୟୁତି ଉପରେ କଠୋର ଆକ୍ରମଣ କରିଥିଲେ। ଉଦ୍ଧବ ଠାକରେଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ ଠାକ୍ରେ କହିଛନ୍ତି, କେହି ସ୍ଥାୟୀ କ୍ଷମତା ନେଇ ଆସି ନ ଥାଏ। ଯଦି ସେମାନେ ଭାବନ୍ତି ଯେ ସେମାନଙ୍କୁ କେବେ ସରକାରରୁ ହଟାଯିବ ନାହିଁ, ତେବେ ସେମାନେ ପୁନର୍ବିଚାର କରିବା ଉଚିତ। ମୁଁ ବର୍ଷ ବର୍ଷ ଧରି ଏହା କହୁଛି; ସେମାନେ ମହାରାଷ୍ଟ୍ରକୁ ୟୁପି ଏବଂ ବିହାରରେ ପରିଣତ କରିଛନ୍ତି। ମହାରାଷ୍ଟ୍ର ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବିଜେପି, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିକୁ ନେଇ ଗଠିତ ମହାଯୁତିର ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ସେ ଏହାକୁ ନେଇ ପ୍ରଶ୍ନ କରିଥିଲେ। ପଶ୍ଚିମବଙ୍ଗର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପ୍ରାର୍ଥୀଙ୍କ ବିରୋଧରେ ବିଜେପି ସୁପ୍ରିମକୋର୍ଟ ଯାଇଥିଲା। ମୁଁ ଜାଣିବାକୁ ଚାହୁଛି ଯେ ସେହି ଦଳ ଏବେ ମହାୟୁତିର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପ୍ରାର୍ଥୀଙ୍କ ବିଷୟରେ କ'ଣ ଭାବୁଛି। ସେ କହିଥିଲେ ଯେ ମରାଠୀକୁ ସମ୍ମାନ ଦେବାକୁ ପଡିବ ଏବଂ ଦାବି କରିଥିଲେ ଯେ ମୁମ୍ବାଇ ଏବଂ ରାଜ୍ୟର ଅନ୍ୟାନ୍ୟ ସହରର ମେୟର ମରାଠୀ ହେବେ।



