ମୋ ଫୋନ୍ ଟ୍ୟାପ୍ କରୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲଙ୍କ ଅଭିଯୋଗ, ମୋଦୀଙ୍କୁ ଖୋଲା ବିତର୍କ ପାଇଁ ପୁଣି ଆହ୍ୱାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫୋନ୍ ଟ୍ୟାପ୍ କରୁଥିବା ଅଭିଯୋଗ ଆଣି ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଇନ୍ଷ୍ଟାଗ୍ରାମ୍ରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ‘ଆସ୍କ ମି’ରେ ଯୋଗଦେଇ ସେ ନିଜ ମୋବାଇଲ୍ ଦେଖାଇ କହିଛନ୍ତି, ତାଙ୍କ ସମସ୍ତ ଅଭିଯୋଗର ପ୍ରମାଣ ଏହି ଫୋନ୍ରେ ରହିଛି ଏବଂ ପ୍ରଧାନମନ୍ତ୍ରୀ ଏହା ଜାଣନ୍ତି, କାରଣ ସେ ତାଙ୍କ ଫୋନ୍ ଟ୍ୟାପ୍ କରୁଛନ୍ତି। ରାହୁଲ କହିଛନ୍ତି, ମୋଦୀଙ୍କ ସହ ମୁହାଁମୁହିଁ ଖୋଲା ବିତର୍କ ହେଲେ କିଏ ବିଦେଶୀ ଶକ୍ତିଙ୍କ ଇଙ୍ଗିତରେ କାମ କରୁଛି, କିଏ ଦେଶବିରୋଧୀ ଏବଂ କେବେଠାରୁ ଏପରି କାର୍ଯ୍ୟରେ ଜଡ଼ିତ, ତାହା ସ୍ପଷ୍ଟ ହୋଇଯିବ। ତେବେ ଏହି କାର୍ଯ୍ୟକ୍ରମରେ ଫୋନ୍ ଟ୍ୟାପିଂ ସମ୍ପର୍କିତ କୌଣସି ଯାଞ୍ଚଯୋଗ୍ୟ ବୈଷୟିକ ପ୍ରମାଣ ସେ ଉପସ୍ଥାପନ କରିନଥିଲେ।
ଏହା ପ୍ରଥମ ଥର ନୁହେଁ, ରାହୁଲ ପୂର୍ବରୁ ମଧ୍ୟ ତାଙ୍କ ସମେତ ଅନେକ ରାଜନେତାଙ୍କ ଫୋନ୍ରେ ପେଗାସସ୍ ସ୍ପାଏୱେର୍ ମାଧ୍ୟମରେ ଗୁଇନ୍ଦାଗିରି ହେଉଥିବା ଅଭିଯୋଗ କରିଥିଲେ। ୨୦୨୩ରେ ସେ ନିଜ ଫୋନ୍ରେ ପେଗାସସ୍ ଥିବା ଏବଂ ଗୁଇନ୍ଦା ଅଧିକାରୀମାନେ ଫୋନ୍ରେ କଥା ହେବାବେଳେ ସତର୍କ ରହିବାକୁ କହିଥିବା ଦାବି କରିଥିଲେ। ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।
ରାହୁଲ ପୁଣିଥରେ ମୋଦୀଙ୍କୁ ଏକକ ବିତର୍କ ପାଇଁ ଆହ୍ୱାନ ଦେଇ କହିଛନ୍ତି, ସେ ଲମ୍ବା ଭାଷଣ ଚାହୁଁନାହାନ୍ତି। ଗୋଟିଏ ଟେବୁଲ୍ର ଦୁଇ ପାର୍ଶ୍ୱରେ ମୋଦୀ ଓ ସେ ବସି ପରସ୍ପରକୁ ପ୍ରଶ୍ନ କରନ୍ତୁ ଏବଂ ଅଭିଯୋଗର ଜବାବ ଦିଅନ୍ତୁ। ଏହି ବିତର୍କର ବିଚାରକ ଭାବେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ କିମ୍ବା ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ନିଯୁକ୍ତ କରାଗଲେ ମଧ୍ୟ ତାଙ୍କର ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ଏପରିକି ବିତର୍କ ପରେ ମୋଦୀ ଆଉ ପ୍ରଧାନମନ୍ତ୍ରୀ ରହିବେ ନାହିଁ ବୋଲି ରାହୁଲ ଦାବି କରିଛନ୍ତି।
ସଂସଦରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ଏବଂ ମାଇକ୍ ବନ୍ଦ କରିଦିଆଯାଉଥିବା ରାହୁଲ ଅଭିଯୋଗ କରିଛନ୍ତି। କୃଷି ଆଇନ, ଭୋଟ୍ ଚୋରି ଅଭିଯୋଗ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ , ଚୀନ୍, ଜେନେରାଲ୍ ନରବଣେଙ୍କ ପୁସ୍ତକ ଓ ଏପଷ୍ଟିନ୍ ପ୍ରସଙ୍ଗରେ ତାଙ୍କୁ କହିବାକୁ ଦିଆଯାଇନଥିବା ସେ କହିଛନ୍ତି। ଗତ ୧୨ ଦିନ ମଧ୍ୟରେ ସପ୍ତମ ଥର ପାଇଁ ସେ ମୋଦୀଙ୍କୁ ସାର୍ବଜନୀନ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ, ବିଜେପି ନେତାମାନେ ରାହୁଲଙ୍କ ଏହି ଆହ୍ୱାନକୁ ଖାରଜ କରିବା ସହ ସଂସଦରେ ବିତର୍କରୁ ସେ ଦୂରେଇ ରହୁଥିବା ଅଭିଯୋଗ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଛନ୍ତି, ବିତର୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାନ ବାଛିବାକୁ କହିବା ପରିବର୍ତ୍ତେ ସଂସଦରେ ଆଲୋଚନା କରିବାର ସୁଯୋଗ ରହିଛି। ବିରୋଧୀ ଦଳ ନେତା ଭାବେ ରାହୁଲ ଗମ୍ଭୀରତା ଓ ଦାୟିତ୍ୱବୋଧ ଦେଖାଇବା ଉଚିତ ବୋଲି ସେ କହିଛନ୍ତି।
Tags:




