ଭାରତ-ପାକ୍ ଅସ୍ତ୍ରବିରତିରେ ଚୀନ୍ର ମଧ୍ୟସ୍ଥତା ଦାବିକୁ ଭାରତର ଖଣ୍ଡନ
ନୂଆଦିଲ୍ଲୀ: ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଆମେରିକା ତତ୍ପର ଥିବା ବେଳେ ଏବେ ଚୀନ୍ ଏହି ବିବାଦକୁ ପଶିଛି । ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି ଯେ ବେଜିଂ ୨୦୨୫ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟସ୍ଥତା କରି ଯୁଦ୍ଧବିରତି କରାଇଥିଲା। ତେବେ ଏହି ଦାବିକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଭୂମିକା ନାହିଁ ଏବଂ ଏହିଭଳି ଦାବିଗୁଡ଼ିକୁ ପୂର୍ବରୁ ମଧ୍ୟ ଖଣ୍ଡନ କରାଯାଇଛି। ଭାରତ ସ୍ପଷ୍ଟ କରିସାରିଛି ଯେ ଯୁଦ୍ଧବିରତି ଭାରତ ଓ ପାକିସ୍ତାନର ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍ସ (ଡିଜିଏମ୍ଓ) ମଧ୍ୟରେ ସିଧାସଳଖ କଥାବାର୍ତ୍ତାର ଫଳ ଥିଲା। ଏହି ଯୁଦ୍ଧବିରତି ମେ ୧୦ରେ ଘୋଷଣା ହୋଇଥିଲା ଏବଂ ଏହା ଅପରେସନ୍ ସିନ୍ଦୂର ପରେ ହୋଇଥିଲା। ଅପରେସନ୍ ସିନ୍ଦୂର ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିଲା। ଅସ୍ତ୍ରବିରତି ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁହାକୁ ତୁହା ଦାବି କରୁଥିବା ବେଳେ ଏବେ ଚୀନ୍ର ଦାବି ଏହାର ବିବାଦୀୟ କୂଟନୀତିକୁ ଦର୍ଶାଉଛି।



