ଶ୍ରୀରାମଙ୍କୁ ବିଶ୍ୱାମିତ୍ରଙ୍କ ଦିବ୍ୟାସ୍ତ୍ର ପ୍ରଦାନ

ଘୋର ବନସ୍ତ ମଧ୍ୟରେ ତାଡ଼କାସୁରକୁ ମୁକ୍ତି ପ୍ରଦାନ କରିସାରିବା ପରେ ଶ୍ରୀରାମ ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ପଛେ ପଛେ ଚାଲିଲେ । ବିଶ୍ୱାମିତ୍ର ରାମକୁ କହିଲେ ହେ ରାମ ଏବେ ଜାଣିଲି, ତୁମ୍ଭ ସକାଶେ ମୋର ବ୍ରତ ପୂର୍ଣ୍ଣ ହେବ ଏବଂ ମୁଁ ବ୍ରହ୍ମର୍ଷି ହୋଇ ଜଗତରେ ବିହିତ ହେବି । ତେଣୁ ତା’ ପୂର୍ବରୁ ତୁମ୍ଭଙ୍କୁ ମୁଁ ଏକ ମନ୍ତ୍ର ଶିକ୍ଷା ଦେଉଛି । ଏହି ବିଦ୍ୟା ଶିକ୍ଷାଲାଭ କଲେ, ଶରୀର ମଧ୍ୟରେ ତୃଷ୍ଣା ଲାଗେ […]

Samaya Live Picture
Published On

ଘୋର ବନସ୍ତ ମଧ୍ୟରେ ତାଡ଼କାସୁରକୁ ମୁକ୍ତି ପ୍ରଦାନ କରିସାରିବା ପରେ ଶ୍ରୀରାମ ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ପଛେ ପଛେ ଚାଲିଲେ । ବିଶ୍ୱାମିତ୍ର ରାମକୁ କହିଲେ ହେ ରାମ ଏବେ ଜାଣିଲି, ତୁମ୍ଭ ସକାଶେ ମୋର ବ୍ରତ ପୂର୍ଣ୍ଣ ହେବ ଏବଂ ମୁଁ ବ୍ରହ୍ମର୍ଷି ହୋଇ ଜଗତରେ ବିହିତ ହେବି । ତେଣୁ ତା’ ପୂର୍ବରୁ ତୁମ୍ଭଙ୍କୁ ମୁଁ ଏକ ମନ୍ତ୍ର ଶିକ୍ଷା ଦେଉଛି । ଏହି ବିଦ୍ୟା ଶିକ୍ଷାଲାଭ କଲେ, ଶରୀର ମଧ୍ୟରେ ତୃଷ୍ଣା ଲାଗେ ନାହିଁ ଏବଂ ଶରୀର ମଧ୍ୟରେ ଅତୁଳନୀୟ ବଳ ସଞ୍ଚାର କରିଥାଏ । ହେ ରାମ ! ତୁମ୍ଭେ ଦୁଇ ଭାଇ ଏହି ମନ୍ତ୍ର ଗ୍ରହଣ କର । ରାମ ସ୍ୱୀକୃତି ପ୍ରଦାନ କରିବାରୁ ବିଶ୍ୱାମିତ୍ର ବଳା ଓ ଅତିବଳାମନ୍ତ୍ର ରାମ ଲକ୍ଷ୍ମଣଙ୍କୁ ପ୍ରଦାନ କଲେ ।

ବିଶ୍ୱାମିତ୍ର ପ୍ରଭୁ କୈଳାଶପତି ଶିବଙ୍କୁ ତୁଷ୍ଟ କରି ଯେଉଁ ଦିବ୍ୟାସ୍ତ୍ର ସବୁ ଲାଭ କରିଥିଲେ, ସେ ସବୁକୁ ଆଉ ନିଜ ପାଖରେ ରହିବାକୁ ଇଛା କଲେ ନାହିଁ । ଏହି ବ୍ରତ ଉଦ୍‌ଯାପନ ହେଲେ ସେହି ଦିବ୍ୟାସ୍ତ୍ର ମୂଲ୍ୟ ତାଙ୍କ ପାଖରେ କିଛି ନାହିଁ । ତେଣୁ ଭଗବାନ ଶିବଶଙ୍କର ସେହି ଦିବ୍ୟାସ୍ତ୍ରକୁ ବିଶ୍ୱାମିତ୍ର ରାମଙ୍କୁ ସମର୍ପଣ କରି କହିଲେ, ହେ ରାମ ! ଏହି ଦିବ୍ୟାସ୍ତ୍ର ତୁମ୍ଭର ବିଶେଷ ପ୍ରୟୋଜନ ଅଟେ । ତୁମ୍ଭେ ପୁରୁଷୋତ୍ତମ ଚତୁର୍ଦ୍ଦଶ ଭୁବନ ମଧ୍ୟରେ ଶ୍ରେଷ୍ଠ । ଏହି ସବୁ ଦିବ୍ୟାସ୍ତ୍ର ଶଙ୍କରଙ୍କ ପ୍ରଦତ୍ତ, ତୁମ୍ଭେ ସମ୍ପାଦି ରଖ । ରାମ ଆଗ୍ରହରେ ସମସ୍ତ ଦିବ୍ୟାସ୍ତ୍ରକୁ ଗ୍ରହଣ କଲେ । ସନ୍ଧ୍ୟା ଆଗତ ହେବାର କିଛି ସମୟ ପୂର୍ବରୁ ବିଶ୍ୱାମିତ୍ର ନିଜ ଆଶ୍ରମ ମଧ୍ୟରେ ଉପସ୍ଥିତ ହେଲେ । ବିଶ୍ୱାମିତ୍ର ଆଶ୍ରମରେ ଉପସ୍ଥିତ ହେବାରୁ ସମସ୍ତ କୁଟୀରବାସୀ ଅଶେଷ ଆଗ୍ରହ ଓ କୌତୁହଳ ନେଇ ବିଶ୍ୱାମିତ୍ରଙ୍କ ନିକଟରେ ପ୍ରବେଶ କଲେ । ବିଶ୍ୱାମିତ୍ର କୁଟୀରବାସୀଙ୍କୁ କହିଲେ, ହେ ଆଶ୍ରମବାସୀଗଣ ! ଦେଖ, ତୁମ୍ଭ ସମ୍ମୁଖରେ ଅଯୋଧ୍ୟାର ରାଜକୁମାର ଦ୍ୱୟ ଉପସ୍ଥିତ ଅଛନ୍ତି । ଏହି ଶ୍ୟାମ ଗୌର କିଶୋର ଦ୍ୱୟ ପଥମଧ୍ୟରେ ତାଡକା ଅସୁରୁଣୀକୁ ମାରି ଏହି ବନଦେଶକୁ ନିର୍ଭୟ କରିଛନ୍ତି । ତୁମ୍ଭେ ସମସ୍ତେ ଆସି ଏହି କୁମାର ଦ୍ୱୟଙ୍କୁ ଦର୍ଶନ କରି ନୟନ ମନ ପବିତ୍ର କର । ଆଶ୍ରମର ଅନ୍ତେବାସୀଗଣ ରାମ ଲକ୍ଷ୍ମଣଙ୍କୁ ଦର୍ଶନ କଲେ । ଆହା କି ସୁନ୍ଦର ମନୋହର ରୂପ ମନହରଣ କରି ନେଉଛି । କୁଟୀରବାସୀଗଣ ତାଡ଼କାକୁ ରାମ ବିନାଶ କରିଥିବା ଯୋଗୁଁ ନିଜର ଭକ୍ତି ଅର୍ଘ୍ୟ ନିବେଦନ କଲେ ।

ଯେଉଁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯୁଗ ଯୁଗ ଧରି ସିଦ୍ଧ ମୁନିଜନମାନେ ତପସ୍ୟାରତ କରୁଛନ୍ତି, ସେହି କରୁଣାକର ରାମ ଆଜି ଆଶ୍ରମବାସୀଙ୍କ ଗହଣରେ ତଳେ କୁଶାସନରେ ଆସୀନ ଅଛନ୍ତି । ଏହାପରେ ବିଶ୍ୱାମିତ୍ର କହିଲେ କାଲି ପ୍ରଭାତରୁ ମୋର ଯଜ୍ଞ କାର୍ଯ୍ୟ ମୁଁ ଆରମ୍ଭ କରିବି । ଏହି ଯଜ୍ଞ ନବମ ଦିନ ପର୍ଯ୍ୟନ୍ତ ଚାଲି ରହିବ । ମୁଁ କାଲି ପ୍ରାତଃ ସମୟରୁ ନବମଦିନ ପର୍ଯ୍ୟନ୍ତ ମୌନବ୍ରତ ଧାରଣ କରିବି । ରାମ ଓ ଲକ୍ଷ୍ମଣ ଯଜ୍ଞଶାଳର ଦ୍ୱାରଦେଶରେ ରହି ଯଜ୍ଞ କରିବେ । ତୁମ୍ଭେମାନେ ତୁମ୍ଭର ପୂଜା, ହୋମ ଆରମ୍ଭ କର । ତୁମର କିଛି କ୍ଷତି ହେବନାହିଁ ।

ପୁନଶ୍ଚ ବିଶ୍ୱାମିତ୍ର କହିଲେ, ହେ ମୋର ଆଶ୍ରମବାସୀ ମୁଁ ଯଜ୍ଞସ୍ଥାନରେ ରହିବି । ରାମ ଲକ୍ଷ୍ମଣଙ୍କର ଯତ୍ନ ନେଇ ପାରିବି ନାହିଁ । ମୋର ଯଜ୍ଞ ଶେଷ ପର୍ଯ୍ୟନ୍ତ ତୁମ୍ଭେମାନେ ଯେପରି ଏହି ରାଜକୁମାରଙ୍କର ସେବା ଯତ୍ନରେ କୌଣସି ତ୍ରୁଟି ନକର । ପରଦିନ ପ୍ରାତଃ କାଳରେ ରାମ ଶଯ୍ୟାତ୍ୟାଗ କରି ନିଜର ନିତ୍ୟକର୍ମ ଶେଷକରି ଲକ୍ଷ୍ମଣଙ୍କୁ ନେଇ ବିଶ୍ୱାମିତ୍ରଙ୍କ ଚରଣ ବନ୍ଦନା କଲେ । ସେହି ଦିନ ବିଶ୍ୱାମିତ୍ର ମୌନବ୍ରତ ଧାରଣ କରିଥିଲେ । ତେଣୁ ପୂର୍ବଦିନର ନିର୍ଦ୍ଦେଶ ଅନୁସାରେ ରାମଲକ୍ଷ୍ମଣ ହସ୍ତରେ ଧନୁ ଧାରଣ ପୂର୍ବକ ଯଜ୍ଞଶାଳାର ଦ୍ୱାର ଦେଶରେ ଦଣ୍ଡାୟମାନ ରହିଲେ । ବିଶ୍ୱାମିତ୍ର ଶୁଭ ସମୟ ଦେଖି ନିଜର ଶିଷ୍ୟବର୍ଗଙ୍କୁ ନେଇ ଯଜ୍ଞ ଆରମ୍ଭ କଲେ । ପବିତ୍ର ବେଦମନ୍ତ୍ରରେ ସିଦ୍ଧିବନ ମୁଖରିତ ହେବାକୁ ଲାଗିଲା ।