ଆଜି ବିଶ୍ୱ ଜିରାଫ୍‌ ଦିବସ, ନନ୍ଦନକାନନରେ ଏକା ଅଛି ଖୁସି ଜିରାଫ୍‌

ବାରଙ୍ଗ: ଜୁନ ୨୧: ଆଜି ବିଶ୍ୱ ଜିରାଫ୍‌ ଦିବସ । ବିଶ୍ୱରୁ ଲୋପ ପାଇବାକୁ ବସିଥିବା ଏହି ସୁନ୍ଦର ବନ୍ୟପ୍ରାଣୀର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ତେବେ ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ଖୁସି ଦୀର୍ଘ ବର୍ଷ ହେଲା ଏକାକି ରହୁଛି । ନିଜ ଖୁଆଡ଼ରେ ନିଃସଙ୍ଗ ଜୀବନ ବିତାଉଛି । ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା ପାଇଁ ସାଥୀଟିଏ ଆଣିବା ପାଇଁ […]

Samaya Live Picture
Published On

ବାରଙ୍ଗ: ଜୁନ ୨୧: ଆଜି ବିଶ୍ୱ ଜିରାଫ୍‌ ଦିବସ । ବିଶ୍ୱରୁ ଲୋପ ପାଇବାକୁ ବସିଥିବା ଏହି ସୁନ୍ଦର ବନ୍ୟପ୍ରାଣୀର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ତେବେ ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ଖୁସି ଦୀର୍ଘ ବର୍ଷ ହେଲା ଏକାକି ରହୁଛି । ନିଜ ଖୁଆଡ଼ରେ ନିଃସଙ୍ଗ ଜୀବନ ବିତାଉଛି । ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା ପାଇଁ ସାଥୀଟିଏ ଆଣିବା ପାଇଁ ଉଦ୍ୟମ କରିଥିଲେ ବି ଯୋଜନା ସଫଳ ହୋଇପାରିନାହିଁ । ଦୁଇଟି ଅଣ୍ଡିରା ଜିରାଫଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଥିଲେ ବି ସେମାନେ ବଞ୍ଚିନଥିଲେ । ୨୦୧୨ ଜୁଲାଇ ୧୧ରେ ବିହାର ପାଟନା ଚିଡ଼ିଆଖାନାରୁ ୪ ବର୍ଷ ବୟସର ଖୁସିକୁ ଏଠାକୁ ଅଣାଯାଇଥିଲା । ଦୁଇ ସିମ୍ପାଞ୍ଜି ଛୁଆ କାର୍ତ୍ତିକ ଓ ସୁଭଦ୍ରା ବଦଳରେ ତାକୁ ପାଟନା ଚିଡ଼ିଆଖାନା କର୍ତ୍ତୃପକ୍ଷ ଦେଇଥିଲେ । ଏବେ ଖୁସିର ବୟସ ୧୪ ବର୍ଷ । ମାଈ ଜିରାଫ୍‌ ୫ ବର୍ଷରୁ ୬ ବର୍ଷ ବୟସ ମଧ୍ୟରେ ମା ହୋଇପାରେ । ମାଈ ଜିରାଫ୍‌ ଗର୍ଭ ଧାରଣର ୧୫ ମାସରେ ଛୁଆ ଜନ୍ମ ଦିଏ । ତେଣୁ ଠିକ୍‌ ସମୟରେ ଖୁସି ମା ହୋଇଥିଲେ, ବର୍ତ୍ତମାନ ସୁଦ୍ଧା ନିହାତି ୩/୪ ଛୁଆର ମା ହୋଇସାରନ୍ତାଣି । ୨୦୦୮ ମସିହାରେ ନନ୍ଦନକାନନ କର୍ତ୍ତୃପକ୍ଷ ୪ଟି ବାଘଙ୍କ ସମେତ ମୋଟ ୨୨ ବିରଳ ପ୍ରଜାତି ଜୀବ ପ୍ରତିବଦଳରେ କୋଲକାତା ଅଲ୍ଲୀପୁର ଚିଡ଼ିଆଖାନାରୁ ଏକ ଅଣ୍ଡିରା ଜିରାଫ୍‌ ଆଣିଥିଲେ । ଖୁସି ପାଇଁ ସାଥୀ ଯୋଗାଡ଼ କରିବା ଓ ନନ୍ଦନକାନନରେ ଜିରାଫ୍‌ ବଂଶ ବଢାଇବା ଉଦ୍ଦେଶ୍ୟରେ ଏହି ବଡ଼ ଯୋଜନା କରାଯାଇଥିଲା । ମାତ୍ର ବାଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିଲା । ସେହିଭଳି ୨୦୧୬ ଫେବ୍ରୁଆରି ୨୪ରେ କୋଲକାତା ଅଲ୍ଲୀପୁର ଚିଡ଼ିଆଖାନାରୁ ୬ ବର୍ଷ ବୟସର ଅଣ୍ଡିରା ଜିରାଫ୍‌ ଜୟକୁ ଅଣାଯାଇଥିଲା । ମାତ୍ର ଜୟ ନନ୍ଦନକାନନରେ ରହିବାର ୫ ଦିନରେ ହଠାତ ଆଖି ବୁଜିଦେଲା । ଏବେ ପୁଣି ତା ପାଇଁ ସାଥୀ ଆଣିବାକୁ ଯୋଜନା କରାଯାଉଛି ବୋଲି ସୂଚନା ରହିଛି । ତେବେ ଦେଖାଯାଉ କି ଖୁସି ଏବେ ଖୁସି ହେଇପାରୁଛି ନା ନାହିଁ ।