ମାଙ୍କଡ ଓ ଟୋପି ବିକାଳି

ମାଙ୍କଡ ଓ ଟୋପି ବିକାଳି
Ipsita Picture
By: Ipsita
Published On

 

ପିଲାଦିନେ ଏଭଳି ଅନେକ ଗପ ଆମେ ଶୁଣିଥାଉ ଯାହା ଆମକୁ ସମାଜର ବ୍ୟବହାରିକ ଜ୍ଞାନ ସମ୍ପର୍କରେ ସଚେତନ କରିଥାଏ । କିଭଳି ନିଜର ବୁଦ୍ଧି ଲଗାଇ ଖରାପ ପରିସ୍ଥିତିରୁ ମୁକୁଳି ହେବ ସେନେଇ ଏହି ଗଳ୍ପ ଗୁଡିକରେ ଶିକ୍ଷା ମିଳିଥାଏ । ସେହିଭଳି ଏକ ଗଳ୍ପ ହେଲା ମାଙ୍କଡ ଓ ଟୋପି ବିକାଳି ।

 ଏହି ଗଳ୍ପରେ କିଭଳି ନିଜର ଉପସ୍ଥିତ ବୃଦ୍ଧି ଲଗାଇ ଯେତେ କଷ୍ଟକର ପରିସ୍ଥିତି ହେଲେ ମଧ୍ୟ ସେଥିରୁ ମୁକୁଳିହେବ ସେନେଇ ଶିକ୍ଷା ଦିଆଯାଇଛି । ଗପଟି ବେଶ ମନୋରଞ୍ଜନପୂର୍ଣ୍ଣ ସହିତ ଶିକ୍ଷାଦାୟୀ । ତେବେ ଆସନ୍ତୁ ଜାଣିବା କଣ ଏହି ଗଳ୍ପର ମୂଳ ବିଷୟ ବସ୍ତୁ । ଗୋଟିଏ ଗ୍ରାମରେ ଟୋପି ବିକାଳିଟିଏ ରହୁଥିଲା । ଉକ୍ତ ଯୁବକ ଜଣଙ୍କ ଖୁବ ପରିଶ୍ରମ କରି ସୁନ୍ଦର ସୁନ୍ଦର ଟୋପି ପ୍ରସ୍ତୁତ କରି ଗାଁ ଗାଁ ବୁଲି ବିକ୍ରି କରିଥାଏ । ସେ ସବୁଦିନ ସକାଳ ହେଲେ ଟୋପି ପ୍ରସ୍ତୁତ କରିବା ପାଇଁ କପଡା କିଣିଥାଏ ଏବଂ ଘରେ ବସି ନିଜେ ନିଜେ ଟୋପି ତିଆରି କରିଥାଏ । ଏହାର ପରଦିନ ସେ ଏହି ସବୁ ଟୋପିକୁ ଟୋକେଇରେ ଧରି ଗାଁଗାଁ ବୁଲି ବିକ୍ରି କରିଥାଏ । ଏଥିରୁ ଯାହା ରୋଜଗାର କରେ ସେଥିରେ ସେ ଚଳିଥାଏ । ତାର ଟୋପିକୁ ସେଠିକାର ଅଞ୍ଚଳ ଲୋକ ଖୁବ ପସନ୍ଦ କରିଥାଆନ୍ତି । କାରଣ ସେ ଖୁବ ସୁନ୍ଦର ସୁନ୍ଦର ଟୋପି ତିଆରି କରିଥାଏ । ତେବେ ଟୋପିବିକାଳି ରହୁଥିବା ଅଞ୍ଚଳରେ ଏକ ଜଙ୍ଗଲ ରହିଥାଏ , ଯେଉଁ ଜଙ୍ଗଲରେ ଏକ ମାଙ୍କଡ ଦଳ ବାସ କରିଥାଆନ୍ତି । ଏହି ମାଙ୍କଡମାନେ ଖୁବ ଦୁଷ୍ଟ, ସେମାନେ ଏହି ଜଙ୍ଗଲବାଟେ ଯାଉଥିବା ଲୋକଙ୍କୁ ଖୁବ ହଇରାଣ କରୁଥିବା ଦେଖିବାକୁ ମିଳିଥାଏ । ଯେଉଁମାନେ ଏହି ଜଙ୍ଗଲବାଟେ ଯାଆନ୍ତି ସେମାନଙ୍କ ହାତରେ ଥିବା ସମାଗ୍ରୀକୁ ସେମାନେ ଚୋରି କରି ନେଇଯାଆନ୍ତି । ଯାହା ଫଳରେ ଧୀରେଧୀରେ ଲୋକମାନେ ମାଙ୍କଡଙ୍କୁ ଡରି ସେହି ବାଟେ ଯିବା ଆସିବା କରିବା ବନ୍ଦ କରିଦେଇଥିଲେ । ଏକଦା ଟୋପି ବିକାଳି ନିଜ ଟୋକେଇରେ ଟୋପି ଭର୍ତ୍ତି କରି ବିକ୍ରି କରିବାକୁ ବାହାରି ଗଲା । ସେ ଗୋଟିଏ ଗାଁରେ ନିଜର ଟୋପି ବିକ୍ରି କରିଥିଲା, ସେଠାରୁ ଟୋପି ବିକ୍ରି କରି ଅନ୍ୟଏକ ଗାଁକୁ ଯିବାକୁ ବାହାରିଲା । ତେବେ ସେ ଯିବା ସମୟରେ ଗ୍ରାମବାସୀ ତାକୁ ମାଙ୍କଡଙ୍କ କଥା କହିଥିଲେ । ହେଲେ ସେ ବାଟରେ ଯିବା ସମୟରେ ମାଙ୍କଡଙ୍କ କଥା ଭୁଲିଗଲା, ଏବଂ ନିଜ ଟୋପିକୁ ଘୋଡେଇ ରଖିବାକୁ ଭୁଲିଗଲା । ତେବେ ଯିବା ବାଟରେ ତାକୁ ଖୁବ ଭୋକ ଲାଗିଲା । ତେଣୁ ସେ ଏକ ଗଛମୂଳେ ବସି ଖାଇବାକୁ ଲାଗିଲା । ହେଲେ ଏହି ସମୟରେ ମାଙ୍କଡମାନେ ତଳକୁ ଆସି ସବୁତକ ଟୋପି ଉଠାଇ ନେଇ ଚାଲିଗଲେ । ଟୋପିବିକାଳି ଦେଖିବା ବେଳକୁ ତା ଟୋକେଇରେ ଆଉ ଗୋଟିଏ ହିଁ ଟୋପି ବଳିଛି । ଏହାଦେଖି ଯୁବକ ଜଣଙ୍କ ଚିନ୍ତାରେ ପଡିଗଲା । ସେ ସେହି ଟୋପିକୁ ନବିକିଲେ ତାର ଅନେକ ସମସ୍ୟା ହେବ । ତେଣୁ ସେ ମାଙ୍କଡଙ୍କ ଉପରେ ରାଗି ସେମାନଙ୍କ ଉପରକୁ ଟେକା ଫୋପାଡିବାକୁ ଲାଗିଲା, ଏହାପରେ ମାଙ୍କଡମାନ ମଧ୍ୟ ତା ଉପରକୁ ଗୋଡି ଫୋପାଡିଲେ । ଏହିପରି ଭାବେ ସେ ଯାହା କଲା, ମାଙ୍କଡମାନେ ସେ ସବୁକୁ ନକଲ କରିବାକୁ ଲାଗିଲେ । ତେବେ କିଛି ସମୟରେ ପରେ ଟୋପି ବିକାଳି ଯୁବକଟି ନିଜ ବୁଦ୍ଧି ଖଟାଇଲା । ସେ ମାଙ୍କଡଙ୍କର ପ୍ରତିକ୍ରିୟାକୁ ନଜର ରଖିବାକୁ ଲାଗିଲା । ଏହାପରେ ସେ ଜାଣିପାରିଲା ମାଙ୍କଡମାନେ ସେ ଯାହା କରୁଛି ତାକୁ ନକଲ କରୁଛନ୍ତି ଏହା ସହ ସେ ବ୍ୟସ୍ତ ହେବା ଦେଖି ଖୁସି ହେଉଛନ୍ତି । ତେଣୁ ସେ ପ୍ରଥମେ ତଳେ ପଡି ମାଙ୍କଡଙ୍କୁ ଚାହିଁ କାନ୍ଦିବାକୁ ଲାଗିଲା । ଏହାଦେଖି ମାଙ୍କଡଦଳ ବେଶ ଖୁସି ହେଲେ । ଏହାପରେ ସେ ତଳୁ ଉଠି ଟୋକେଇରେ ଥିବା ଶେଷ ଟୋପିକୁ ମୁଣ୍ଡରେ ପିନ୍ଧିଲା ଏବଂ ହଠାତ୍ ଏହାକୁ କାଢି ତଳକୁ ଫୋପାଡି ଦେଲା । ଯୁବକର ଏହି ପ୍ରକ୍ରିୟାକୁ ମାଙ୍କଡମାନେ ମଧ୍ୟ ଅନୁକରଣ କରିବାରେ ଲାଗିଲେ । ସମସ୍ତେ ନିଜ ମୁଣ୍ଡରୁ ଟୋପି କାଢି ତଳକୁ ଫୋପାଡି ଦେଲେ । ଏହାପରେ ସଙ୍ଗେସଙ୍ଗେ ଟୋପିବିକାଳି ନିଜ ଟୋପିଗୁଡିକୁ ଗୋଟାଇନେଲା ଏବଂ ଟୋକେଇ ରଖି ଘୋଡାଇ ଦେଲା । ଏହାପରେ ବିକ୍ରି ପାଇଁ ଅନ୍ୟ ଗାଁକୁ ଚାଲିଲା । ତେଣୁ ଟୋପିବିକାଳି ନିଜର ଉପସ୍ଥିତ ବୁଦ୍ଧି ଲଗାଇ ଏହି ବିପଦରୁ ମୁକୁଳି ପାରିଲା । ତେଣୁ ସବୁବେଳେ ସମସ୍ୟା ଆସିଲେ ବିଚଳିତ ନହୋଇ କିଭଳି ଉପସ୍ଥିତ ବୁଦ୍ଧି ଲଗାଇ ଏହାର ମୁକାବିଲା କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ଏପରି କରିବାଦ୍ବାରା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ।