କଥାକୁହା ଗୁମ୍ଫା
କାହାଣୀ ପେଡି
ଆଈମା କାହାଣୀପେଡିରେ ଏଭଳି ଅନେକ ଗପ ରହିଥାଏ, ଯାହା ସମସ୍ତଙ୍କୁ ଅନେକ ଶିକ୍ଷା ପ୍ରଦାନ କରିଥାଏ । ମଜାମଜାରେ ବଡମାନେ ସାନମାନଙ୍କୁ ଜୀବନର ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଦେଇଥାନ୍ତି । କିଭଳି ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିର ସାମନା କରିବାକୁ ହେବ ସେନେଇ ସେମାନେ ଶିକ୍ଷା ଦେଇଥାଆନ୍ତି ।
ଏଭଳି ଅନେକ ପରିସ୍ଥିତି ଜୀବନରେ ଆସିଥାଏ, ଯେଉଁଥିରେ ଆମକୁ ଆମ ବୁଦ୍ଧି ହିଁ ବଞ୍ଚାଇଥାଏ । ଏବଂ ବୁଦ୍ଧି ସମସ୍ତଙ୍କର ଆବଶ୍ୟକ ରହିଥାଏ । ଆସନ୍ତୁ ସେହିଭଳି ଏକ ଗପ ସମ୍ପର୍କରେ ଜାଣିବା ଯାହା କଥାକୁହା ଗୁମ୍ଫା ନାମରେ ପରିଚିତ । ଗପଟି ଉପସ୍ଥିତ ବୁଦ୍ଧିକୁ କିଭଳି ଆମେ କାମରେ ଲଗାଇ ପାରିବା ସେ ସମ୍ପର୍କରେ ଅନେକ ଶିକ୍ଷା ଦେଇଥାଏ । ଏକଦା ଗୋଟିଏ ଘଞ୍ଚ ଜଙ୍ଗଲରେ ବିଲୁଆ ଦଳଟିଏ ରହୁଥିଲେ । ସେମାନେ ଜଙ୍ଗଲ ଭିତରେ ଗୋଟିଏ ବଡ ଗୁମ୍ଫାରେ ନିଜ ପରିବାର ସହିତ ରହିଥାଆନ୍ତି । ସବୁଦିନ ସକାଳୁ ସେମାନେ ଶିକାର କରିବାକୁ ବାହାରି ଯାଆନ୍ତି ଏବଂ ରାତିରେ ଘରକୁ ଫେରନ୍ତି । ସେହି ଜଙ୍ଗଲରେ ଗୋଟିଏ ସିଂହ ମଧ୍ୟ ରହୁଥିଲା, ଯିଏ ଟିକେ ଅଳସୁଆ ଥିଲା । ସବୁବେଳେ ସେ ବୁଲିବୁଲି ଅନ୍ୟକୁ କିଭଳି ହଇରାଣ କରିବା ସହିତ ସମସ୍ୟାରେ ପକାଇବ ସେହି କଥା ଚିନ୍ତା କରୁଥାଏ । ସବୁବେଳେ କିଭଳି ସହଜରେ ନିଜର ଖାଦ୍ୟ ତାକୁ ମିଳିବ ସେ ଭାବୁଥାଏ, ତେଣୁ ସେ ଜଙ୍ଗଲରେ ଲୁଚି ଲୁଚି ଅନ୍ୟଜୀବଙ୍କ ଗତିିବିଧି ଉପରେ ନଜର ରଖିଥାଏ । ଏହିପରି ବୁଲୁବୁଲୁ ସେ ଦିନେ ଉକ୍ତ ଗୁମ୍ଫା ନିକଟରେ ପହଞ୍ଚିଲା, ଯେଉଁଠାରେ ବିଲୁଆ ଦଳ ରହୁଥିଲେ । ସେ କିଛି ଦିନ ଲକ୍ଷ କରିବା ଦ୍ବାରା ଜାଣିଲା ବିଲୁଆମାନେ ସକାଳୁ ବାହାରି ଯାଉଛନ୍ତି ଏବଂ ରାତିହେଲେ ଫେରୁଛନ୍ତି । ତେଣୁ ସେ ଭାବିଲା ଏତେ ବଡ ଦଳ ଯଦି ମୁଁ ଏମାନଙ୍କୁ ଆକ୍ରମଣ କରିବି ଏମାନେ ମୋତ ସମସ୍ୟାରେ ପକାଇବେ । ତେଣୁ ମୁଁ ଏମାନଙ୍କୁ ଲୁଚି ପଛରୁ ଆକ୍ରମଣ କରି ମାରିବି । ସେଥିପାଇଁ ସେ ଏକ ଉପାୟ ଭାବିଲା । ବିଲୁଆମାନେ ଯିବା ପରେ ସେ ଗୁମ୍ଫା ଭିତରେ ପଶି ଲୁଚି ରହିଲା ।
ଜଗି ବସିଲା କେତେବେଳେ ବିଲୁଆ ଦଳ ଆସିବେ ଆଉ ସେ ଆରାମରେ ଶିକାର କରି ମାରି ଖାଇବ । ଏପରି କିଛି ସମୟ କଟିଗଲା । ସନ୍ଧ୍ୟା ହେବାରୁ ବିଲୁଆଦଳ ଘରକୁ ଫେରିଲେ । ଆଗରେ ଦଳପତି ଓ ତା ପଛରେ ଅନ୍ୟ ବିଲୁଆମାନ ଧାଡି ବାନ୍ଧି ଫେରୁଥାଆନ୍ତି । ହଠାତ୍ ଦଳପତି ସମସ୍ତଙ୍କୁ ରୋକିଦେଲା । ସେ ଦେଖିଲା ଗୁମ୍ଫା ଭିତରକୁ ସିଂହ ଯାଇଥିବାର ପଞ୍ଝା ପଡିଛି, ହେଲେ ଫେରିବାର ନାହିଁ । ସେ ଭାବିବାରେ ଲାଗିଲା କିଭଳି ଏହି ପରିସ୍ଥିତିର ମୁକାବିଲା କରିବ । କିଛି ସମୟ ଭାବିବା ପରେ ତା ମୁଣ୍ଡକୁ ଏକ ଉପାୟ ଆସିଲା । ସେ ଗୁମ୍ଫାକୁ ବଡ ପାଟିରେ ପଚାରିଲା ଗୁମ୍ଫାରେ ଗୁମ୍ଫା ତୋ ଭିତରେ କିଏ । ଏହିପରି ୩ଥର ସେ ପଚାରିଲା ହେଲେ ଗମ୍ଫା ଭିତରୁ କିଛି ଉତ୍ତର ମିଳିଲା ନାହିଁ । ଶେଷଥର ବିଲୁଆ କହିଲା ଗୁମ୍ଫା ତୁ ଯଦି ଉତ୍ତର ନଦେବୁ ଆମେ ଚାଲିଲୁ । ଏହି ସମୟରେ ବୋକା ସିଂହ ଭାବିଲା ଯଦି ଉତ୍ତର ନଦେବି ତେବେ ଏହି ବିଲୁଆଦଳ ଫେରିଯିବ । ତେଣୁ ସେ ଖୁବ ଜୋରରେ ବୋବାଇବାକୁ ଲାଗିଲା । ଏହା ଶୁଣିବା ପରେ ବିଲୁଆ ଦଳ ଖୁବ ଜୋରରେ ଦୌଡି ପଳାଇଲେ । ସିଂହ ବାହାରକୁ ଆସି ଦେଖିବା ବେଳକୁ ବାହାରେ କେହି ବି ନଥିଲେ । ନିରାଶରେ ସିଂହ ନିଜ ଘରକୁ ଫେରିଗଲା । ସେହିଭଳି ନିଜର ଉପସ୍ଥିତ ବୁଦ୍ଧି ପାଇଁ ବିଲୁଆ ଦଳ ଏକ ବଡ ବିପଦରୁ ବଞ୍ଚିଗଲେ ।




